ରାମ ମନ୍ଦିର ଉପରେ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ

ମୁମ୍ବାଇ: ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ନାନା ସମସ୍ୟା ଉପୁଜିଛି । ଏ ସମ୍ପର୍କରେ ଦେଶବାସୀ ଅଳ୍ପ ବହୁତେ ଜାଣିଛନ୍ତି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ରାମମନ୍ଦିର ନିର୍ମାଣକୁ ନେଇ ସ୍ୱର ଉଠାଇଥିଲେ । ଆଉ ଏହାର ଫଳ ଆଜି ସାମ୍ନାକୁ ଆସିଛି । ଅଯୋଧ୍ୟାରେ ନିର୍ମାଣ କରାଯାଉଛି ରାମ ମନ୍ଦିର । ତେବେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ରାସ୍ତା ସଫା ହୋଇଯାଇଥିଲା । ଗଣମାଧ୍ୟମରେ ଏବେ ଏହି ରାମ ମନ୍ଦିରକୁ ନେଇ ଆସିଛି ଏକ ଖୁସି ଖବର । ଖବରଟି ହେଲା ଏବେ ବଡ ପରଦାରେ ଦେଖାଇବାକୁ ପ୍ରସ୍ତୁତ ହେଲେଣି ଫିଲ୍ମ ନିର୍ମାତା । ଏହା ଏକ ଡକ୍ୟୁମେଣ୍ଟରୀ ଫିଲ୍ମ ହୋଇଥିବା ବେଳ ଏଥିରେ ରାମ ମନ୍ଦିର ନିର୍ମାଣ ପୂର୍ବର ସଂଘର୍ଷ ଓ ବଳିଦାନକୁ ଦେଖିବାକୁ ମିଳିବ ।
ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ରାମ ମନ୍ଦିର ଆନ୍ଦୋଳନକୁ ନେଇ ଡକ୍ୟୁମେଣ୍ଟାରୀ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହାଦ୍ୱାରା ରାମ ମନ୍ଦିର ନିର୍ମାଣର ସମ୍ପୂର୍ଣ୍ଣ ଆନ୍ଦୋଳନକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇ ହେବ । ତେବେ ଏହି ଡକ୍ୟୁମେଣ୍ଟାରୀରେ ଅନ୍ଦୋଳନର ସମସ୍ତ ମହତ୍ୱପୂର୍ଣ୍ଣ ଘଟଣାକୁ ସ୍ଥାନିତ କରିବାକୁ ପ୍ରୟାସ କରାଯିବ । ଯାହା ଜରିଆରେ ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ସଂଘର୍ଷର କାହାଣୀ ପରପିଢି ନିକଟରେ ସହଜରେ ପହଞ୍ଚିପାରିବ ।
ଡକ୍ୟୁମେଣ୍ଟାରୀ ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିବେ ବୋଲି ଜଣାପଡିଛି । ଏଥିରେ ୧୫୨୮ ମସିହାରୁ ଏପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ସମସ୍ତ ତଥ୍ୟକୁ ସ୍ଥାନିତ କରାଯିବାକୁ ପ୍ରୟାସ କରାଯିବ । ଏମିତି ଏକ ଡକ୍ୟୁମେଣ୍ଟାରୀ କଥା ଶୁଣି ଦର୍ଶକେ ଖୁସି ପ୍ରକାଶ କରିଛନ୍ତି । ଖୁବଶୀଘ୍ର ଦର୍ଶକେ ଏହାକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ପ୍ରସାର ଭାରତି ପକ୍ଷରୁ ଫିଲ୍ମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗଲାଣି ବୋଲି କୁହାଯାଉଛି ।

Share