ସଫଳତା ପାଇଁ ମାୟାନାଗରୀ ମୁମ୍ବାଇରେ ସଂଘର୍ଷ କରିଥିଲେ ରାଜୁ, ଚାଲାଇଥିଲେ ଅଟୋ

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ପରଲୋକ ହୋଇଛି। ଅଗଷ୍ଟ ୧୦ରେ ରାଜୁ ଜିମରେ ବ୍ୟାୟାମ ସମୟରେ ହୃଦଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ୪୧ ଦିନ ଧରି ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଜି ହାର ମାନିଯାଇଛନ୍ତି। ତାଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।
ତେବେ ଜାଣନ୍ତୁ ରାଜୁଙ୍କ ଜୀବନ ସମ୍ପର୍କିତ କିଛି ବିଶେଷ କଥା। ନିଜକୁ ସଫଳତାର ପାହାଚ ଚଢ଼ାଇବା ଓ ବଲିଉଡ୍‌ରେ କ୍ୟାରିୟର କରିବା ତାଙ୍କ ପାଇଁ ଏତେଟା ସହଜ ନଥିଲା। ନିଜକୁ ସଫଳ କରି ଗଢ଼ି ତୋଳିବା ପାଇଁ ପ୍ରତି ମୂହୁର୍ତ୍ତରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିଲା । କୁହାଯାଏ ଯେ ସେ ଏକଦା ଅଟୋ ମଧ୍ୟ ଚଳାଇଥିଲେ।
ମିମିକ୍ରିରେ ରୁଚି ରଖିଥିବା ରାଜୁ ୧୯୮୨ରେ ଏକ ସୁଯୋଗ ଖୋଜିବା ପାଇଁ ମୁମ୍ବାଇ ଆସିଥିଲେ। ମାୟାନାଗରୀ ମୁମ୍ବାଇରେ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷମୟ ଜୀବନ । ପ୍ରାରମ୍ଭିକ ଦିନରେ, ସେ ରୋଜଗାର କରିବା ପାଇଁ ଏକ ଅଟୋ ମଧ୍ୟ ଚଳାଇଥିଲେ । ଏହା ପରେ ଅନେକ ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା। ପରେ ତାଙ୍କ ଅଭିନୟ ଯାଦୁ ତାଙ୍କୁ ଲୋକପ୍ରିୟ କରାଇଥିଲା।

Share