ରାଜନଗର,୨୨।୧୦(ଭାସ୍କର ରାଉତରାୟ ): ଶେଷ ହେଲା ରାଜନଗର ଅଞ୍ଚଳର ସର୍ବ ପ୍ରାଚୀନ ଦୁର୍ଗାପୂଜା । ଗୁରୁବାର ପୂର୍ବାହ୍ନରେ ସୁସଜ୍ଜିତ ନୌକାରେ ମା’ ଦୁର୍ଗାଙ୍କୁ ଭକ୍ତମାନେ ଦେବୀ ମଣ୍ଡପରୁ ପରମ୍ପରା ଅନୁସାରେ ଘଣ୍ଟ କାହାଳି ଢୋଲ ମୃଦଙ୍ଗ ବାଦ୍ୟ ସହ ବିଦାୟ ଦେଇଥିଲେ । ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ହରିବୋଲ ହୁଳହୁଳି ଧ୍ୱନି ଭିତରେ ମା’ଙ୍କୁ ପାଛୋଟି ଆଣି ହଂସୁଆ ନଦୀ ଘାଟରେ ପହଞ୍ଚାଇବା ପରେ ମା’ଙ୍କୁ ମେଲାଣି ଦେଇଥିଲେ ।
ପ୍ରଥମେ ମା’ଙ୍କୁ ଦୁଇଟି ନୌକାରେ ବସାଇଥିଲେ । ଏହା ପରେ ପ୍ରଖର ନଦୀ ସ୍ରୋତ ସାଙ୍ଗକୁ ମାଳ ମାଳ କୁମ୍ଭୀର ରହିଥିବା ନଦୀରେ ସାତଥର ଭଉଁରୀ ଖେଳିବା ପରେ ମା’ଙ୍କୁ ବିସର୍ଜନ କରାଯାଇଛି । ଏହି ଅପୂର୍ବ ତଥା ବିରଳ ଦୃଶ୍ୟ ଦେଖିବା ପାଇଁ ନଦୀର ଦୁଇ ପାର୍ଶ୍ଵରେ ପ୍ରାୟ କୋଡିଏ ହଜାର ଶ୍ରଦ୍ଧାଳୁ ଭକ୍ତ ରହି ଭାବ ପୂର୍ଣ୍ଣ ବିଦାୟ ଦେବା ବେଳେ ପ୍ରତ୍ୟେକଟି ଭକ୍ତଙ୍କ ଆଖି ପତା ଓଦା ହୋଇଯାଉଥିଲା ।