ପିପିଇ କିଟ୍‌ ପିନ୍ଧି ଆଇପିଏଲ୍‌ ଖେଳିବାକୁ ଗଲେ ଖେଳାଳି

ଜୟପୁର, ୨୦।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ବର୍ଷ କରୋନା ମହାମାରୀ ଲାଗି ୟୁଏଇରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୯ରୁ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଖେଳାଯିବ। ଏଥିଲାଗି ଆଇପିଏଲ୍‌ ଦଳ ରାଜସ୍ଥାନ ରୟାଲ୍ସ ଦଳ ଗୁରୁବାର ୟୁଏଇ ଅଭିମୁଖେ ଯାତ୍ରା କରିଛି। ଦଳର ସମସ୍ତ ଖେଳାଳି ପିପିଇ କିଟ୍‌ ପରିଧାନ କରି ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ବରିଷ୍ଠ ଖେଳାଳି ରବିନ ଉଥପ୍ପା ମଧ୍ୟ ପିପିଇ କିଟ୍‌ ପରିଧାନ କରିଥିବା ଦେଖିବାକୁ ମିଳିଥିଲା। ଏଥିସହିତ ଖେଳାଳିମାନେ ମୁହଁରେ ପିଙ୍କ୍‌ ରଙ୍ଗର ମାସ୍କ ମଧ୍ୟ ପିନ୍ଧିଥିଲେ। ରାଜସ୍ଥାନର କିଛି ଖେଳାଳି ମଧ୍ୟ ୟୁଏଇ ଗସ୍ତ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଦଳର ଅନ୍ୟତମ ବରିଷ୍ଠ ଖେଳାଳି ତଥା ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ୍‌ ଜାତୀୟ ଡ୍ୟୁଟି ଲାଗି ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଜଣାପଡ଼ିଛି। ସେହିଭଳି ଇଂଲଣ୍ଡ ଖେଳାଳି ଜୋଫ୍ରା ଆର୍ଚର, ବେନ୍‌ ଷ୍ଟୋକ୍ସ ଓ ଜୋସ୍‌ ବଟ୍‌ଲର ମଧ୍ୟ ରାଜସ୍ଥାନ ପକ୍ଷରୁ ପ୍ରଥମ ସପ୍ତାହ ମ୍ୟାଚ୍‌ ଖେଳିପାରିବେ ନାହିଁ। ସେପ୍ଟେମ୍ବର ୪ରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସୀମିତ ଓଭର ସିରିଜ ଅନୁଷ୍ଠିତ ହେବାକୁ ଥିବାରୁ ଏହି ଦୁଇଦେଶର ଖେଳାଳି ଆଇପିଏଲ୍‌ର ପ୍ରଥମ ସପ୍ତାହରେ ସେମାନଙ୍କ ଫ୍ରାଞ୍ଚାଇଜ ପକ୍ଷରୁ ଭାଗ ନେଇପାରିବେ ନାହିଁ।

Share