ସମ୍ପତ୍ତି ହଡ଼ପ ନେଇ ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ରାଜଶ୍ରୀ କିନ୍ନର, ସମାଧାନ ନ ହେଲେ ଆତ୍ମାହୁତି ଧମକ

ବେଗୁନିଆପଡ଼ା,୧୦ା୬(ଡି.ଏନ୍‌.ଏ.): ଦୀର୍ଘ ୫ ବର୍ଷ ଧରି ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନାକୁ ବାରମ୍ବାର ଧାଇଁ ନୟାନ୍ତ ହୋଇପଡ଼ିଛନ୍ତି ଜଣେ କିନ୍ନର। କିନ୍ତୁ ବାହାରି ପାରୁନି ସମାଧାନର ବାଟ। ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତ ପି ନୂଆଗାଁର ରାଜଶ୍ରୀ କିନ୍ନର। ରାଜଶ୍ରୀ ନିଜ ମାମୁଙ୍କ ଦତ୍ତ ସନ୍ତାନ ହୋଇ ଯାଇଛନ୍ତି। ତେବେ ଗତ ୫ ବର୍ଷ ହେବ ମାମୁଙ୍କ ସମ୍ପତ୍ତିକୁ ଜାଲିଆତି କରି କିଛି ଲୋକ ହଡ଼ପ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ରାଜଶ୍ରୀ। ଥାନାଠୁ ଆରମ୍ଭ କରି ଓକିଲଙ୍କ ଦ୍ବାରା କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନି। ରାଜଶ୍ରୀଙ୍କ ଚାଷଜମି ୩ ଏକର ଆମ୍ବ ତୋଟା, ପଦର ଏଭଳି ୧୪ ଏକର ଜମିକୁ ଚକ୍ରାନ୍ତ କରି ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି। କିନ୍ତୁ ଥାନାରେ ଅଭିଯୋଗ ପରେ ବି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବାରୁ ଶନିବାର ବେଗୁନିଆପଡ଼ା ଥାନାକୁ ଆସି ନିରାଶ ହୋଇ ଫେରିଛନ୍ତି ରାଜଶ୍ରୀ। ଜଣେ କିନ୍ନରଙ୍କୁ ପୋଲିସ ସହଯୋଗ କରୁ ନ ଥିବା ସେ ଅଭିଯୋଗ କରୁଥିବା ବେଳେ ଯଦି ତୁରନ୍ତ କୌଣସି ପଦକ୍ଷେପ ନିଆ ନ ଯିବ ତେବେ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ସେପଟେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ।