Categories: ବାଣିଜ୍ୟ

ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ରାଜନଙ୍କ ପରାମର୍ଶ

ମୁମ୍ବାଇ: ଘରୋଇ ବଜାରରେ ଅନାଦାୟ ଋଣ (ଏନ୍‌ପିଏ) ବ୍ୟାଙ୍କଗୁଡିକ ଲାଗି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟା ସହ ବ୍ୟାଙ୍କଗୁଡିକ ଜୁଝୁଥିବା ବେଳେ ଏହା ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। କାରଣ ଏନ୍‌ପିଏ ଯୋଗୁ ବ୍ୟାଙ୍କଗୁଡିକର ପରିଚାଳନାରେ ବ୍ୟାଘାତ ସୃଷ୍ଟି ହେଉଛି। ଏଭଳି ସ୍ଥିତିକୁ ସମ୍ଭାଳିବା ଲାଗି ଦେଶ ମଧ୍ୟରେ ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ କରିବା ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସରକାରଙ୍କୁ ସୋମବାର ପରାମର୍ଶ ଦେଇଛନ୍ତି। ସେହିଭଳି କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଘରୋଇକରଣ କରିବା ଏବଂ ଆର୍ଥତ୍କ ସେବା ବିଭାଗର ଭୂମିକାକୁ ହ୍ରାସ କରିବା ଦିଗରେ ମଧ୍ୟ ମତ ରଖିଛନ୍ତି।
ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଅଭିବୃଦ୍ଧି ଲାଗି ସଂସ୍କାର ଧାରା ଗ୍ରହଣ କରିବା ଆବଶ୍ୟକତା ରହିଛି ବୋଲି ‘ଇଣ୍ଡିଆନ ବ୍ୟାଙ୍କସ:ଏ ଟାଇମ୍‌ ଟୁ ରିଫର୍ମ?’ ନାମକ ଏକ ପେପରରେ ଏଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୁରୁତ୍ୱାରୋପ କରାଯାଇଛି। ଏହି ପେପରକୁ ରାଜନ ଏବଂ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ପ୍ରସ୍ତୁତ କରିଛନ୍ତି। ପେପରରେ କୁହାଯାଇଛି ଯେ, ଆର୍ଥତ୍କ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ନିପୁଣ ରହିଥିବା ଘରୋଇ କ୍ଷେତ୍ର ନିବେଶକଙ୍କୁ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସୁଯୋଗ ଦିଆଯାଇ ପାରିବ।
କେବଳ ଋଣ ପ୍ରଦାନ କରିବା ଲାଗି ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ନ ଦେଇ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ, ଫାଇନାନ୍ସ ଭିତ୍ତିଭୂମି ଗଠନ ଏବଂ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ଏବଂ କେତେକ କ୍ଷେତ୍ରରେ ବିଭିନ୍ନ ନିୟନ୍ତ୍ରଣ ପଦକ୍ଷେପ ଜାରି କରିବାକୁ ବ୍ୟାଙ୍କଗୁଡିକୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସେହିଭଳି ଘରୋଇ ସମ୍ପତ୍ତି ପରିଚାଳନା ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା କରିବା ଲାଗି ‘ବ୍ୟାଡ୍‌ ବ୍ୟାଙ୍କ’କୁ ଉତ୍ସାହିତ କରିବା ଲାଗି ପେପରରେ ଗୁରୁତ୍ୱାରୋପ କରାଯାଇଛି। ସେହିଭଳି ଚାପଗ୍ରସ୍ତ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା କରିବା ଉପରେ ମଧ୍ୟ ପରାମର୍ଶ ରହିଛି।

Share