ରଜ ପ୍ଲାନିଂ…

ଆଉ ମାତ୍ର ଦିନକର ଅପେକ୍ଷା ପରେ ଆରମ୍ଭ ହେବ ରଜ ମଉଜ। ଏଥର କୋଭିଡ୍‌ କଟକଣା ବି ଆଉ ନାହିଁ। ତେଣୁ ଜୋର୍‌ସୋରରେ ଚାଲିଛି ରଜ ପ୍ରସ୍ତୁତି। କିଏ ମାର୍କେଟ୍‌କୁ ଆସିଥିବା ଭଳିକି ଭଳି ଡ୍ରେସ୍‌ କିଣୁଛନ୍ତି ତ କିଏ ଫିଲ୍ମ ଦେଖିବା, ବୁଲାବୁଲି କରିବାକୁ ନେଇ ଅଛନ୍ତି ବେଶ୍‌ ଏକ୍ସାଇଟେଡ୍‌। ଆଉ ପୁଣି କିଏ ସଜବାଜ ହୋଇ ପୋଡ଼ପିଠା, ରଜପାନ ଖାଇ ଦୋଳିରେ ଝୁଲିବା ସାଙ୍ଗକୁ ଭଳିକି ଭଳି ଫଟୋ ଉଠାଇବାକୁ ଚାହିଁ ରହିଛନ୍ତି। ଏଥର ରଜକୁ ନେଇ କ’ଣ ରହିଛି ଏମାନଙ୍କର ପ୍ଲାନିଂ…

ପାରମ୍ପରିକ ଢଙ୍ଗରେ ପାଳିବି ରଜ
ପ୍ରଣତି ମିଶ୍ର (କେନ୍ଦୁଝର)- ଜିଲାର ଅନ୍ୟତମ ପ୍ରମୁଖ ପର୍ବ ହେଉଛି ରଜ ପର୍ବ। ଏହି ପର୍ବ ତିନି ଦିନ ଧରି ପାଳନ ହୋଇଥାଏ। କିନ୍ତୁ ଏହା ପୂର୍ବ ପ୍ରସ୍ତୁତି କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ। ପିଠାପଣା ସାଙ୍ଗକୁ ଦୋଳିଖେଳ ଜମିଥାଏ। ଘରକୁ କୁଣିଆ ଆସନ୍ତି ଓ ସମସ୍ତେ ମିଶି ପାଳନ କରିଥାଉ। କିନ୍ତୁ କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ରଜରେ ଦୋଳି ଖେଳିବା ଓ ବୁଲିବା ସୁଯୋଗ ମିଳି ନ ଥିଲା। ହେଲେ ଏଥର ସେ କଟକଣା ନ ଥିବାରୁ ଧୁମ୍‌ଧାମରେ ପାରମ୍ପରିକ ଭାବେ ରଜ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଛୁ। ବିଭିନ୍ନ ସ୍ଥାନ, ବଜାର, ପ୍ରଦର୍ଶନୀ ଆଦି ବୁଲିବା ସହ ବିଶେଷକରି ଆମ ଅଞ୍ଚଳରେ କାଠରେ ପ୍ରସ୍ତୁତ ହେଉଥିବା ଅନେକ ପ୍ରକାର ଦୋଳିଖେଳର ମଜା ନେବୁ। ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଜ ମହୋତ୍ସବ ଦେଖିବାକୁ ଯିବୁ।
ରଜରେ ହେବ ଫିଲ୍ମଦେଖା
ସୁଜିତ୍‌ ପରିଡ଼ା (କଟକ)- ରଜପର୍ବରେ ସ୍ପେଶାଲ ପାନଖିଆର ଏକ ଭିନ୍ନ ଆନନ୍ଦ ଅଛି। ତା’ଛଡ଼ା ଏହି ତିନି ଦିନରେ ସାଙ୍ଗସାଥୀଙ୍କ ସହ ବିଭିନ୍ନ ସ୍ଥାନ ବୁଲାବୁଲି କରିବାକୁ ଖୁସି ଲାଗେ। ତେବେ ରଜକୁ ଆହୁରି ଖାସ୍‌ କରେ ହଲ୍‌ରେ ଫିଲ୍ମଦେଖା। ରଜରେ ହଲ୍‌ ଫୁଲ୍‌ ରହୁଥିବାରୁ ଏବେଠୁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ କରିସାରିଛି। ଶେଷ ରଜ ଦିନ ପୁରୀ ଯିବାକୁ
ଯୋଜନା କରିଛି।
ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବୁ
ଆଶୁତୋଷ ବାରିକ୍‌ (କର୍ମଜୀବୀ, ପିପିଲି)-
ରଜ କହିଲେ କେବଳ ଝିଅମାନଙ୍କର ସଜବାଜ ନୁହଁ, ଆମେ ବି ରଜକୁ ଧୁମ୍‌ଧାମ୍‌ରେ ପାଳନ କରୁ। ରଜରେ ଘରେ ବହୁତ ପ୍ରକାର ପିଠାପଣା ହୁଏ। ମାମାଙ୍କ ହାତତିଆରି ପୋଡ଼ପିଠାର ସ୍ବାଦ ସବୁଠୁ ନିଆରା। ମୁଁ ରଜ ପାଇଁ ଆଗୁଆ କାମରୁ ଛୁଟି ନେଇ ଆସେ। ରଜରେ ସାଙ୍ଗସାଥୀମାନେ ଘରକୁ ଆସିଲେ ସମସ୍ତେ ପିଠାମିଠା ଖାଇ ବୁଲିଯିବାର ପ୍ଲାନିଂ କରୁ। ପ୍ରଥମେ ପାନଖିଆରୁ ମୋ ରଜ ଆରମ୍ଭ ହୁଏ। ସାଙ୍ଗମାନେ ମିଶି ଦୋଳି ଖେଳୁ। ପୁଅମାନଙ୍କର ଦୋଳି ଖେଳିବାର ନିଆରା ମଜା। ସେଥିରେ ଫଟୋ ଶୁଟ୍‌ କରି ପରସ୍ପରକୁ ଚିଡ଼ାଉ। ତା’ପରେ ସାରେ ସବୁ ସାଙ୍ଗ ମିଶି ଲଙ୍ଗ୍‌ ଡ୍ରାଇଭରେ ଯାଉ। ଏଥର ବି ପାଗ ଭଲ ରହିଲେ ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବାର ପ୍ଲାନିଂ ଅଛି।
କବାଡ଼ି ଖେଳର ମଜା ନିଆରା
ସିଦ୍ଧେଶ୍ୱର ସାହୁ (କେନ୍ଦୁଝର)- କୋଭିଡ୍‌ କଟକଣା ଉଠିଲା। ଏଣୁ ଚଳିତବର୍ଷ ରଜ ଧୁମଧାମରେ ପାଳନ କରିବାକୁ ନେଇ ବିଭିନ୍ନ ପ୍ରକାରର ପ୍ଲାନିଂ କରିଛି। ରଜରେ ଦୋଳି ଖେଳ ସହ ତାସ୍‌ ପାଲି, କବାଡି ଆଦି ଖେଳ ବି ହେବ। ବିଭିନ୍ନ ସ୍ଥାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ। ତେଣୁ ପୂର୍ବ ବର୍ଷଗୁଡିକ ଭଳି ଏଥର ବି ବିଭିନ୍ନ ସ୍ଥାନ ବୁଲି ଦୋଳି ଉତ୍ସବ ଦେଖିବି।
କଲୋନୀରେ ଏକାଠି
ଭୋଜି କରିବୁ
ଶୁଭସ୍ମିତା ମହାପାତ୍ର (ଲଳିତେଶ୍ୱର ନଗର, ଯାଜପୁର)-
ଓଡ଼ିଶାର ଗଣପର୍ବ ଆମ ରଜପର୍ବ। ଏହି ପର୍ବକୁ କିଛି ନିଆରା ଢଙ୍ଗରେ ପାଳନ କରାଯାଏ ଆମ କଲୋନୀରେ। ସଜବାଜରୁ ଆରମ୍ଭ କରି ଶେଷ ରଜଯାଏଁ ଆନନ୍ଦ ଉଲ୍ଲାସର ଆସର ଜମିଥାଏ। ଶିଶୁଠାରୁ ବୃଦ୍ଧାଯାଏଁ ସଭିଏଁ ଗୋଟିଏ ଜାଗାରେ ଏକାଠି ହୋଇ ପରସ୍ପରକୁ ସଜ କରାଉ ଏବଂ ନାଚଗୀତର କାର୍ଯ୍ୟକ୍ରମ ମଧ୍ୟ କରିଥାଉ। ଗୀତର ତାଳେତାଳେ ସଭିଁଙ୍କ ପାଦ ଝୁମି ଉଠେ। ସମସ୍ତେ ଭୋଜି କରି ଏକାଠି ବସି ଖାଇଥାଉ। ସାଙ୍ଗସାଥୀଠାରୁ କଲୋନୀର ସମସ୍ତେ ଶାଢ଼ି ପିନ୍ଧି ଫଟୋ ଉଠାଉ। ରଜପାନ ଖାଇ ଦୋଳି ଖେଳି ଖୁସି ମନାଉ। ଯେହେତୁ ଗତ ଦୁଇ ବର୍ଷ ଏକାଠି ଏସବୁ କରି ପାରି ନ ଥିଲୁ, ତେଣୁ ଏଥର ରଜକୁ ବେଶ୍‌ ମଜାଦାର ଢଙ୍ଗରେ ପାଲିବାକୁ ନେଇ ଉତ୍ସାହିତ ଅଛୁ।
ରଜ ଶପିଂର ଚାର୍ମ ଅଲଗା
ବିଶ୍ୱଜିତା ମହାନ୍ତ (କଟକ)- ଏମିତିରେ ଶପିଂ ମୋର ଏକ ନିଶା। କିଛି ପର୍ବପର୍ବାଣି ଥାଉ କି ନ ଥାଉ, ମଝିରେ ମଝିରେ ନୂଆ ଡ୍ରେସ୍‌ କିଣିଥାଏ। ହେଲେ ରଜ ଶପିଂର ଚାର୍ମ କିନ୍ତୁ ଅଲଗା। କାରଣ ଏ ସମୟରେ ମାର୍କେଟ୍‌କୁ ବିଭିନ୍ନ ନୂଆ ନୂଆ
କଲେକ୍ସନ ଆସିଥାଏ। ତେଣୁ ତିନି ଦିନ ରଜ ପାଇଁ ବୁଲି ବୁଲି ଲାଟେଷ୍ଟ କଲେକ୍ସନ ବାଛିଥାଏ। ପୂର୍ବ ଦୁଇ ବର୍ଷ କରୋନା ପାଇଁ ଭଲ ଭାବେ ମାର୍କେଟିଂ କରି ପାରି ନ ଥିବାରୁ ଏଥର ବେଶ୍‌ କିଛି ଦିନ ପୂର୍ବରୁ ମାର୍କେଟିଂ ଚାଲିଛି। ତା’ଛଡ଼ା ଏଥର ରଜରେ ସାଙ୍ଗସାଥୀଙ୍କ ସହ ବୁଲାବୁଲି କରିବା ଏବଂ ଓ୍ବାଟର ପାର୍କ ଯିବାର ପ୍ଲାନିଂ ରହିଛି।