ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଶେରପୁର ଗାଁରେ ବର୍ଷା ଅସରାଏ ହେବା ପରେ ଗାଁ ମଝିରେ ଜମି ରହୁଛି ବର୍ଷାପାଣି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଗାଁରେ ବହୁ ପୁରାତନ ଦୁର୍ଗା ମନ୍ଦିର ରହିଛି। ପ୍ରତ୍ୟେକ ବର୍ଷ ଧୂମ୍ଧାମରେ ୫ ଦିନ ଧରି ଏହି ପୂଜା କରା ଯାଇଥାଏ। କିନ୍ତୁ ବିଡମ୍ବନାର ବିଷୟ ସେହି ଦୁର୍ଗା ମନ୍ଦିର ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମି ରହୁଛି। ଆଉ ଅଳ୍ପ ଦିନ ଦୁର୍ଗା ପୂଜା ରହି ଥିବା ବେଳେ ଏଭଳି ସ୍ଥିତି ଗ୍ରାମବାସୀଙ୍କ ଚିନ୍ତାର ବିଷୟ ପାଲଟିଛି। ସେହିପରି ଏହି ମନ୍ଦିରକୁ ଲାଗି ରହିଛି ଅଙ୍ଗନବାଡ଼ି କେନ୍ଦ୍ର। ଏହି କେନ୍ଦ୍ରକୁ ସୋମବାରରୁ ଶନିବାର କୁନିକୁନି ପିଲା ପାଠ ପଢିବା ପାଇଁ ଆସିଥାନ୍ତି। କିନ୍ତୁ ରାସ୍ତା ଉପରେ ଥିବା ପାଣିରେ ପଶି ଓଦା ହୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲା ପହଞ୍ଚୁଥିବା ଅଭିଯୋଗ ହୋଇଛି।
ସେହିପରି ଏହି ଗାଁ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ର ଗ୍ରାହକ ସେବାକେନ୍ଦ୍ର, ଇଣ୍ଡିଆନ ପୋଷ୍ଟ ସେବା ଭଳି ଅତି ଆବଶ୍ୟକୀୟ ସେବା ରହି ଥିବା ବେଳେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ଯଥା ଟଙ୍କା ଉଠାଣ ଜମା କରିବା ପାଇଁ ଓ ଇଣ୍ଡିଆନ ପୋଷ୍ଟ କାର୍ଯ୍ୟାଳୟ ଥିବା କାରଣରୁ ଚିଠିପତ୍ର ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଆଡୁ ଅନେକ ଲୋକେ ଏହି ଗାଁକୁ ଆସିଥାନ୍ତି। କିନ୍ତୁ ଏବେ ବର୍ଷା ଦିନ ହୋଇଥିବାରୁ ଗାଁ ମଧ୍ୟରେ ପାଣି ଜମି ରହିବା ଫଳରେ ଯାତାୟାତରେ ଅନେକ ସମସ୍ୟା ହେଉଥିବାରୁ ସେମାନେ ଏହାକୁ ନାପସନ୍ଦ କରିଛନ୍ତି । ଏହା ସରପଞ୍ଚଙ୍କ ନିଜ ଗାଁ ହୋଇଥିବା ବେଳେ ଏଭଳି ଅବସ୍ଥା ଦେଖି ଲୋକେ ଏହାକୁ ସମାଲୋଚନା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି।
ସୂଚନା ମୁତାବକ ପାଖାପାଖି ଦୁଇ ବର୍ଷ ପୂର୍ବରୁ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ର୍ନିମାଣ କରାଯାଇଥିଲା। ସେହି ସମୟରେ ଗାଁ ମଧ୍ୟରେ ରାସ୍ତା ପାଶ୍ୱ ଫାଙ୍କା ଥିବାରୁ ବର୍ଷା ହେଲେ ପାଣି ବୋହି ପାଖ ବିଲକୁ ଚାଲି ଯାଉଥିଲା କିନ୍ତୁ ସମୟ କ୍ରମେ ଗ୍ରାମରେ ଏବେ ଅନେକ ନୂତନ ଘର ହେବା ସହ ପାଚେରୀ ମଧ୍ୟ ର୍ନିମାଣ କରାଯାଇଛି। ଯାହା ଫଳରେ ପାଣି ନିଷ୍କାସନ ନହୋଇ ଜମି ରହି ରାସ୍ତା ଉପରେ ଜମି ରହୁଛି ବର୍ଷାପାଣି। ଯାତାୟାତରେ ଅନେକ ଅସୁବିଧା ହେଉଥିବା ସହ ଗାଁ ର ପିଲା ମାନେ ବିଦ୍ୟାଳୟ ଓ କଲେଜ ଯିବା କୁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ଜମା ହୋଇ ରହିବା ଫଳରେ ଅପରିଷ୍କାର ପରିବେଶ ସହ ମଶା ମାଛିଙ୍କ ଉପଦ୍ରବ୍ୟ ବଢିବାରେ ଲାଗିଛି। ଛୋଟଛୋଟ ପିଲାମାନେ ଜମୁଥିବା ପାଣିରେ ଖେଳକୁଦ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଆଉ କିଛି ପିଲା ସ୍କୁଲକୁ ପାଣିରେ ପଶି ଯାତାୟାତ କରିବା ଫଳରେ ଥଣ୍ଡା ଜ୍ବର ଓ କୁଣ୍ଡିଆ ଆଦି ରୋଗରେ ପୀଡ଼ିତ ହେଉଛନ୍ତି। ଏଭଳି ସ୍ଥିତି ଓ ଗାଁର ଏପରି ଅବସ୍ଥା ଉପରେ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବକୁ ଗ୍ରାମବାସୀ ଦାବି କରିଛନ୍ତି।


