Categories: ଫୁରସତ

ଇନ୍ଦ୍ରଧନୁର ଦେଶ

ସାଉଥ୍‌ ଆଫ୍ରିକା, ଯାହାକି ଇନ୍ଦ୍ରଧନୁର ଦେଶ ଭାବେ ବେଶ୍‌ ପରିଚିତ। ନାଁରୁ ହୁଏତ ଭାବୁଥିବେ, ଏଠାରେ ସବୁବେଳେ ଇନ୍ଦ୍ରଧନୁ ପଡୁଥାଇପାରେ। ହେଲେ ଏହି ନାଁ ପଛର କାହାଣୀ କିନ୍ତୁ ଭିନ୍ନ । ବିଭିନ୍ନ ଧର୍ମାବଲମ୍ବୀ, ଭାଷାଭାଷୀ ଓ ସମ୍ପ୍ରଦାୟର ଲୋକ ବହୁ ପୂର୍ବରୁ ଏଠାରେ ବାସ କରୁଥିବାରୁ ଏହାର ନାମକରଣ ଏପରି କରାଯାଇଛି ।
୧୯୯୪ ମସିହାରେ ପ୍ରଥମେ ଆର୍କବିଶପ୍‌ ଡେସମଣ୍ଡ ଟୁଟୁ ସାଉଥ୍‌ ଆଫ୍ରିକାକୁ ଇନ୍ଦ୍ରଧନୁର ଦେଶ ବୋଲି କହିଥିଲେ। ତେବେ ଜାଣନ୍ତୁ ଏହି ଦେଶ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ..

ଏହା ହେଉଛି ଏଭଳି ଏକ ଦେଶ, ଯେଉଁଠି ୧୧ଟି ଭାଷାକୁ ସରକାରୀ ଭାଷାର ମାନ୍ୟତା ମଳିଛି। ଏଠାର ଅଧିକାଂଶ ଅଧିବାସୀ ଏକାଧିକ ଭାଷା କହିଥାନ୍ତି। ”ଇସିଜୁଲୁ“ ଭାଷାକୁ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ବେଳେ ଦ୍ୱିତୀୟରେ ”ଇସିହୋସା“ ରହିଛି।
ପୃଥିବୀର ଏହା ହେଉଛି ଏକମାତ୍ର ଦେଶ, ଯାହାର ୩ଟି ରାଜଧାନୀ ରହିଛି ଯଥା, କେପ୍‌ ଟାଉନ୍‌, ପ୍ରେଟୋରିଆ ଏମଂ ବ୍ଲୋମ୍‌ଫୋଣ୍ଟେଇନ୍‌। ଏଗୁଡ଼ିକୁ ନ୍ୟାୟପାଳିକା, ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା ବିଭାଗର ରାଜଧାନୀ ଭାବେ ବିଭକ୍ତ କରାଯାଇଛି। ପ୍ରଥମ ୬ ମାସରେ ହେଉଥିବା ପାର୍ଲାମେଣ୍ଟ ମିଟିଂ କେପ୍‌ ଟାଉନ୍‌ରେ ହେଉଥିବା ବେଳେ ଅନ୍ୟ ୬ ମାସ ପ୍ରେଟୋରିଆରେ ହୋଇଥାଏ।
ଦୁଇଜଣ ନୋବେଲ୍‌ ବିଜେତା ଗୋଟେ ସହରରେ ବାସ କରିବାରେ ମଧ୍ୟ ଏହି ଦେଶ ହେଉଛି ପ୍ରଥମ। ୧୯୮୪ ମସିହାରେ ଆର୍କବିଶପ୍‌ ଡେସମଣ୍ଡ ଟୁଟୁ ଏବଂ ଏହାର ୯ ବର୍ଷ ପରେ ଅର୍ଥାତ୍‌ ୧୯୯୩ରେ ନେଲ୍‌ସନ୍‌ ମଣ୍ଡେଲା ଏହି ସମ୍ମାନନୀୟ ପୁରସ୍କାର ପାଇଥିଲେ।
୧୯୬୭ ମସିହା ଡିସେମ୍ବର ୩ ତାରିଖରେ ପୃଥିବୀର ପ୍ରଥମ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କେପ୍‌ ଟାଉନ୍‌ରେ ହୋଇଥିଲା। ଏହି ସହରରେ ଥିବା ଗ୍ରୁଟ୍‌ ସ୍କୁର୍‌ ହସ୍ପିଟାଲ୍‌ରେ ଡ. ଖ୍ରୀଷ୍ଟିୟାନ୍‌ ବର୍‌ନାର୍ଡ ଏହାକୁ ପ୍ରଥମେ କରିଥିଲେ।
ପୃଥିବୀର ସବୁଠୁ ପୁରୁଣା ମାଉଣ୍ଟେନ୍‌ ଭାବେ ଜଣାଶୁଣା ‘ଟେବୁଲ୍‌ ମାଉଣ୍ଟେନ୍‌’ଏଠାରେ ରହିଛି। ପ୍ରାୟ ୨୬୦ ବର୍ଷ ପୁରୁଣା ଏହି ମାଉଣ୍ଟେନ୍‌ରେ ପ୍ରାୟ ୧୦୦୦ରୁ ଅଧିକ ପ୍ରଜାତିର ଗଛ ଥିବା ଜଣାଯାଏ।
ପୃଥିବୀର ସବୁଠାରୁ ଲକ୍‌ଜ୍ୟୁରିୟସ୍‌ ରେଳ ଏଠାରେ ରହିଛି, ଯାହା ନାଁ ହେଉଛି ”ରୋଭସ୍‌ ରେଲ“। ସେଥିପାଇଁ ଏଠାର ଅଧିବାସୀ ଏବଂ ପର୍ଯ୍ୟଟକମାନେ ଏଥିରେ ବସି ବିଭିନ୍ନ ସ୍ଥାନକୁ ଯିବାକୁ ଅଧିକ ପସନ୍ଦ କରନ୍ତି।
ଦ୍ରୁତ ଦୌଡ଼ୁଥିବା ୫ ପଶୁଙ୍କ ମଧ୍ୟରୁ ୩ ପଶୁ ଯଥା ଚିତା ବାଘ, ସିଂହ ଏବଂ ଓ୍ବାଇଲ୍ଡ ବିଷ୍ଟ ଏଠାରେ ବେଶି ଦେଖାଯାଆନ୍ତି। ଏଠାରେ ୮ଟି ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି।

Share