ବନ କର୍ମଚାରୀଙ୍କୁ ଆଶ୍ୱସ୍ତି ଦେଲା ଝଡ଼ବର୍ଷା

ମାଲକାନଗିରି,୧୭।୨(ଡି.ଏନ୍‌.ଏ.): ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବାରେ ଲାଗିଥିଲା। ଏପରି କି ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡୁଥିଲା। ଜଙ୍ଗଲ ନିଆଁକୁ ଲିଭାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରୁଥିଲେ ବିରୋଧୀ। ଏଭଳିସ୍ଥିତିରେ ମାଲକାନଗିରି ଜିଲାରେ ଗୁରୁବାର କାଳବୈଶାଖୀ ବର୍ଷା ଯୋଗୁ ନିଆଁ ଆୟତ୍ତ ହୋଇଥିବା ସୂଚନା ମିଳିଛି। ପ୍ରାୟତଃ ଜିଲାର ଜଙ୍ଗଲ ନିଆଁ ଲିଭି ଯାଇଥିବାରୁ ବନ କର୍ମଚାରୀ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି।

ଏହି ସମ୍ପର୍କରେ ମାଲକାନଗିରି ଡିଏଫଓ ପ୍ରତାପ କତାପାଲ୍ଲୀ କହିଛନ୍ତି, ମାଲକାନଗିରି ଜିଲାରେ ୨୩୩୬.୧୭ ବର୍ଗ କି.ମି. ଜଙ୍ଗଲ ଥିବା ବେଳେ ସାଟେଲାଇଟ ଦ୍ୱାରା ଯେଉଁ ଅଞ୍ଚଳରେ ନିଆଁ ଲାଗିଥିବା ଦର୍ଶାଯାଇଛି ସେଥିମଧ୍ୟରୁ ୫୦ ପ୍ରତିଶତ କୃଷି ଅଞ୍ଚଳ ହୋଇଥିବା ବେଳେ ଅବଶିଷ୍ଟ ଜଙ୍ଗଲ ଅଞ୍ଚଳ ରହିଛି। ଜଙ୍ଗଲ ନିଆଁକୁ ରୋକିବା ପାଇଁ ଚଳିତ ବର୍ଷ ମାଲକାନଗିରି ଜିଲା ବନଖଣ୍ଡ ପକ୍ଷରୁ ଲୋକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏପରି କି ଜିଲାର ବିଭିନ୍ନ ଅଞ୍ଚଳରେ ୬୫୦ଟି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।

ଏପରିକି ବନ କର୍ମଚାରୀ ଓ ସ୍କ୍ବାଡ ବଭିନ୍ନ ଅଞ୍ଚଳରେ ନିଯୁକ୍ତି ହୋଇ ଜଙ୍ଗଲ ନିଆଁ ଲିଭାଇବା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଅନ୍ୟପକ୍ଷେ ଜଙ୍ଗଳରେ ନିଆଁ ଲାଗାଇ ଥିବା ଅଭିଯୋଗରେ ବନ ବିଭାଗ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଶିକାରୀ ଏବଂ ବଣଭୋଜି ପାଇଁ ଜଙ୍ଗଲ ମଧ୍ୟକୁ ଯାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖା ଯାଇଛି। ବନ ସଂରକ୍ଷଣ ସମିତିକୁ ମଧ୍ୟ ଜଙ୍ଗଲ ନିଆଁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାଳ ବୈଶାଖୀ ବର୍ଷା ପରେ ପୁଣି ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗକୁ ସହଯୋଗ କରିବାକୁ ଡିଏଫଓ ଅନୁରୋଧ କରିଛନ୍ତି।