ଜଙ୍ଗଲରେ ନିଆଁ ଲିଭାଇଲେ ରାହୁଲ

ଦାରିଙ୍ଗବାଡି,୩୧।୫(ଡି.ଏନ.ଏ): ଜଙ୍ଗଲରେ ନିଆଁ ଲିଭାଇ ଦାରିଙ୍ଗବାଡିର ରାହୁଲ ଏବେ ଚର୍ଚ୍ଚାରେ। ଏନେଇ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲା କ.ନୂଆଗାଁ ବନାଞ୍ଚଳର ର୍ସିତ୍ତିଗୁଡା ନିକଟ କନ୍ଦିବାନ୍ଦା ଜଙ୍ଗଲରେ ମଙ୍ଗଳବାର ଦୃବୁର୍ତ୍ତ ନିଆଁ ଲଗାଇ ଦେଇଥିଲେ। ସେହି ରାସ୍ତା ଦେଇ ଯାଉଥିବା ରାହୁଲ ନିଆଁ ଦେଖି ଲିଭାଇବାକୁ ଚେଷ୍ଟା କରିଥିଲେ। ଏଥିସହ ସେ ଜଙ୍ଗଲର ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗକୁ ଫୋନ କରି ଡାକିଥିଲେ। ଅଗ୍ନିଶମ ବିଭାଗ ଏବଂ ରାହୁଲଙ୍କର ଅକ୍ଲାନ୍ତ ପରିଶ୍ରମରେ ଜଙ୍ଗଲରେ ନିଆଁ ଲିଭି ଯାଇଥିଲା। ଯାହାଦ୍ୱାରା ଏକ ବଡ ବିପଦକୁ ରକ୍ଷା ମିଳିଥିଲା।

ସେହି ସାହାସୀ ଯୁବକ ଜଣକ ହେଉଛନ୍ତି ଦାରିଙ୍ଗବାଡିର ରାହୁଲ କୁମାର ସାହୁ। ତାଙ୍କ ନିଆଁ ଲିଭାଇବା ବେଳର ଭିଡିଓ ଫୋଟ ଭାଇରଲ ହେବା ପରେ ରାହୁଲଙ୍କୁ ସବୁଠି ପ୍ରଂଶସା କରାଯାଇଛି। ରାହୁଲ କୁହନ୍ତି, ଜଙ୍ଗଲକୁ ସୁରକ୍ଷା ଦେବା କେବଳ ଜଙ୍ଗଲ ଓ ପରିବେଶ ବିଭାଗର କାମ ନୁହଁ ଏହା ଆମ ସମସ୍ତଙ୍କ ଦାୟିତ୍ୱ। ତେଣୁ ସମସ୍ତେ ମିଶି ଜଙ୍ଗଲକୁ ସୁରକ୍ଷା ଦେବା ଆବଶ୍ୟକ। ଦିନକୁ ଦିନ ଜଳବାୟୁରେ ପରିବର୍ତ୍ତନ ଯୋଗୁ କନ୍ଧମାଳ ଭଳି ପ୍ରଦ୍ୟୁଷଣ ମୁକ୍ତ ଅଞ୍ଚଳରେ ଅସହ୍ୟ ଗରମ ଗୁଳୁଗୁଳି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆମ ପରିବେଶକୁ ସୁରକ୍ଷା ଦେବାକୁ ପଡିବ ବୋଲି ରାହୁଲ କହିଛନ୍ତି।
ଏଠାରେ କହି ରଖୁଛୁ କି, କ.ନୂଆଗାଁ ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ନିୟମିତ ନିଆଁ ଲାଗିବାର ଖବର ପ୍ରକାଶ ପାଉଛି। ଶାଳମଞ୍ଜି ସଂଗ୍ରହ କରୁଥିବା ଲୋକମାନେ ଏହି ଜଙ୍ଗଲରେ ଦିନ କାଟୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେହି ନିଆଁ ଲଗାଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।