ସୀମା ନିର୍ଦ୍ଧାରଣ ବିଲ୍; ଷ୍ଟାଲିନଙ୍କୁ ଆଲିଙ୍ଗନ କରି ଏଭଳି କହିଲେ ରାହୁଲ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଦେଶରେ ଲୋକ ସଭା ଆସନର ପୁନଃବଣ୍ଟନ ଅର୍ଥାତ୍‌ ସୀମା ନିର୍ଦ୍ଧାରଣ ବିଲକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ଏହାରି ମଧ୍ୟରେ ରବିବାର ଚେନ୍ନାଇରୁ ସାମ୍ନାକୁ ଆସିଛି ବିରୋଧୀ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର । ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟର ଅନ୍ୟ ବରିଷ୍ଠ ନେତାଙ୍କ ସହ ଚେନ୍ନାଇରେ ପହଞ୍ଚି ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କୁ ଭେଟିଛନ୍ତି ।

ଷ୍ଟାଲିନଙ୍କ ବାସଭବନରେ ହୋଇଥିବା ଏହି ସାକ୍ଷାତ ସମୟରେ ରାହୁଲ ଗାନ୍ଧୀ ଓ ଷ୍ଟାଲିନ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଉଭୟଙ୍କ ଏହି ସାକ୍ଷାତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବିରୋଧୀ ନେତାଙ୍କ ଏହି ସକ୍ରିୟତାକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଚେନ୍ନାଇରେ ଷ୍ଟାଲିନଙ୍କ ବାସଭବନରେ ଏହି ଉଚ୍ଚସ୍ତରୀୟ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଏଥିରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ଦଳର ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଥିଲେ।

ସୂତ୍ର ଅନୁସାରେ, ବୈଠକରେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବିଲ(ସମ୍ବିଧାନର ୧୩୨ତମ ସଂଶୋଧନ ବିଧେୟକ) ଏବଂ ମହିଳା ସଂରକ୍ଷଣ ଲାଗୁ କରିବାର ରୂପରେଖ ଉପରେ ଆଲୋଚନା ହୋଇଥିଲା। ସୋମବାର, ନଭେମ୍ବର ୩୦ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହି ସାକ୍ଷାତ ହୋଇଛି । ଏହି ଅଧିବେଶନରେ ଲୋକ ସଭା ଆସନ ସଂଖ୍ୟା ବୃଦ୍ଧି ଓ ସୀମା ନିର୍ଦ୍ଧାରଣ ବିଲ୍‌ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି କରୁଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଡିଏମ୍‌କେ ନିଜ ସାଂସଦମାନଙ୍କ ବୈଠକ ପରେ ସଂଶୋଧିତ ସୀମା ନିର୍ଦ୍ଧାରଣ ବିଲ ପ୍ରସ୍ତାବକୁ ସମର୍ଥନ କରିବାର ସଙ୍କେତ ଦେଇଥିଲା। ଏହି ପ୍ରସ୍ତାବରେ ସବୁ ରାଜ୍ୟର ଲୋକ ସଭା ଆସନ ସଂଖ୍ୟାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ସମାନ ଅନୁପାତରେ ବୃଦ୍ଧି ଏବଂ ୧୯୭୧ ଜନଗଣନାର ଅନୁପାତ ବଜାୟ ରଖିବା ଭଳି ବ୍ୟବସ୍ଥା ରହିଥିବା କୁହାଯାଉଛି ।

ଅନ୍ୟପଟେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଅନ୍ୟ ଦଳଗୁଡ଼ିକ ଏହି ବିଲ୍‌କୁ ଜୋରଦାର ବିରୋଧ କରୁଛନ୍ତି । ଏହା ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥା ବିରୋଧୀ ବୋଲି ସେମାନେ ଯୁକ୍ତି ରଖୁଛନ୍ତି। ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ବିରୋଧୀ ନେତାଙ୍କ ଚେନ୍ନାଇ ଗସ୍ତ ଏବଂ ଷ୍ଟାଲିନଙ୍କ ସହ ଆଲୋଚନାକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବିଲ୍‌ ଉପରେ ଭୋଟିଂ ପୂର୍ବରୁ ବିରୋଧୀ ଏକତାକୁ ମଜବୁତ କରିବା ଏବଂ ଷ୍ଟାଲିନଙ୍କୁ ନିଜ ମେଣ୍ଟରେ ରଖିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

 

Dharitri – Odisha’s No.1 Odia Daily

Share