ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ ମଙ୍କଡ ଟ୍ରଫିରେ କର୍ନାଟକ ଦଳର ଅଧିନାୟକତ୍ୱ କରୁଥିବା ୧୭ ବର୍ଷୀୟ ଅନୱୟ ସୋମବାର ଦିଲ୍ଲୀ ଅଣ୍ଡର-୧୯ ଦଳ ବିପକ୍ଷରେ ଧମାକାଦାର ଇନିଂସ ଖେଳିଛନ୍ତି। ସେ ମାତ୍ର ୪୧ଟି ବଲରେ ୮୫ ରନ କରିଥିଲେ। ତାଙ୍କ ଇନିଂସରେ ୫ଟି ଛକା ଓ ୭ଟି ଚୌକା ସାମିଲ ଥିଲା। ଅନୱୟଙ୍କ ଏହି ଆକ୍ରମଣାତ୍ମକ ବ୍ୟାଟିଂ ବଳରେ କର୍ନାଟକ ୪୯ ଓଭରରେ ୪ଟି ଉଇକେଟ୍ ହରାଇ ୪୧୮ ରନର ବିଶାଳ ସ୍କୋର କରିଥିଲା।
ଦିଲ୍ଲୀର ବୋଲରଙ୍କ ବିପକ୍ଷରେ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ମନୋଭାବ ଆପଣାଇଥିଲେ ଅନୱୟ। ସେ ୨୦୭.୩୨ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ପଡ଼ିଆର ଚାରିଆଡ଼କୁ ଆକର୍ଷଣୀୟ ସଟ ଖେଳିଥିଲେ। ଉଇକେଟ୍ କିପର-ବ୍ୟାଟର୍ ଭାବେ ଦାୟିତ୍ୱ ତୁଲାଉଥିବା ଅନୱୟଙ୍କ ଏହି ଇନିଂସ କର୍ନାଟକକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା।
ଅନୱୟଙ୍କ ଏହି ପ୍ରଦର୍ଶନ ଆହୁରି ଖାସ କାରଣ, ଏହା ପୂର୍ବରୁ ଶନିବାର ଚଣ୍ଡିଗଡ଼ ବିପକ୍ଷରେ ମଧ୍ୟ ସେ ଶତକ ହାସଲ କରିଥିଲେ। ସେହି ମ୍ୟାଚରେ ମାତ୍ର ୬୨ଟି ବଲରୁ ୧୦୪ ରନ କରିଥିଲେ। ତାଙ୍କ ଶତକ ବଳରେ କର୍ନାଟକ ୧୦୦ ରନର ମ୍ୟାଚ ଜିତିଥିଲା। ଲଗାତାର ଦୁଇଟି ମ୍ୟାଚରେ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ପ୍ରମାଣ କରିଛି ଯେ ସେ କେବଳ ଉଇକେଟ୍ ବଞ୍ଚାଇ ଖେଳିବା ନୁହେଁ, ବରଂ ଦ୍ରୁତ ଗତିରେ ରନ ସଂଗ୍ରହ କରିବାରେ ମଧ୍ୟ ସକ୍ଷମ।
ଦିଲ୍ଲୀ ବିପକ୍ଷ ମ୍ୟାଚରେ କର୍ନାଟକ ପକ୍ଷରୁ ଧ୍ରୁବ କୃଷ୍ଣନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୫୧ଟି ବଲରେ ୧୦୩ ରନର ଶତକୀୟ ଇନିଂସ ଖେଳିଥିଲେ। ଧ୍ରୁବଙ୍କ ଏହି ଇନିଂସ କର୍ନାଟକର ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିବା ବେଳେ ଶେଷ ଆଡ଼କୁ ଦ୍ରୁତ ରନ ସଂଗ୍ରହ କରି ଅନୱୟ ଦଳର ସ୍କୋରକୁ ୪୦୦ ପାର୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।
କର୍ନାଟକ ଦଳର ଅଧିନାୟକ ହେବା ସହ ଅନୱୟ ଉଇକେଟ୍ କିପିଂ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ପଡ଼ିଆରେ ଏକାଧିକ ଦାୟିତ୍ୱ ସମ୍ଭାଳିବା ସତ୍ତ୍ୱେ ତାଙ୍କ ବ୍ୟାଟିଂରେ ଆକ୍ରମଣାତ୍ମକ ଶୈଳୀ ବଜାୟ ରହିଛି। ଟୁର୍ନାମେଣ୍ଟରେ ତାଙ୍କର ପ୍ରଦର୍ଶନରୁ ଜଣାପଡ଼ୁଛି ଯେ ଇନିଂସର ଶେଷ ଭାଗରେ ଦ୍ରୁତ ରନ ସଂଗ୍ରହ କରିବାର ଦାୟିତ୍ୱକୁ ସେ ଭଲ ଭାବେ ତୁଲାଉଛନ୍ତି।