Categories: ଜାତୀୟ

ଲଦାଖରେ ମୁତୟନ ହେବ ରାଫାଲ

ନୂଆଦିଲ୍ଲୀ,୨୦ା୭: ଚାଇନା ସହ ସୀମାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ସ୍ଥିତି ଏବଂ ରାଫାଲ ଲଢ଼ୁଆ ବିମାନର ତ୍ୱରିତ ପରିଚାଳନା ଷ୍ଟେଶନ ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ବାୟୁସେନାର ଶୀର୍ଷ କମାଣ୍ଡରସ୍ତରୀୟ ବୈଠକ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ମାସ ଶେଷ ସୁଦ୍ଧା ରାଫାଲ ଯୁଦ୍ଧବିମାନ ଭାରତରେ ପହଞ୍ଚତ୍ବ। ଏହାକୁ ସୀମାରେ ମୁତୟନ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ଆର୍‌.କେ.ଏସ୍‌. ଭଦୌରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମସ୍ତ ୭ କମାଣ୍ଡର ଇନ୍‌-ଚିଫ୍‌ ଯୋଗଦେବେ।
ବାୟୁସେନା ପୂର୍ବ ଲଦାଖ ଏବଂ ଉତ୍ତର ସୀମାର ଫରଓ୍ବାର୍ଡ ବେସ୍‌ରେ ମିରାଜ ୨୦୦୦, ସୁଖୋଇ-୩୦, ମିଗ୍‌-୨୯ ଆଦି ଅତ୍ୟାଧୁନିକ ଯୁଦ୍ଧବିମାନ ମୁତୟନ କରିଛି। ଏଥିସହିତ ଚାଇନା ସୀମାର ଫରଓ୍ବାର୍ଡ ବେସ୍‌ରେ ଲଢ଼ୁଆ ଆପାଚେ ହେଲିକପ୍ଟର ମଧ୍ୟ ମୁତୟନ ହୋଇଛି। ଏଗୁଡ଼ିକ ଦିନରାତି ସୀମା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଫ୍ରାନ୍ସରୁ ଆସିବାକୁ ଥିବା ଅତ୍ୟାଧୁନିକ ରାଫାଲ ଯୁଦ୍ଧବିମାନ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବ। ଏଥିରେ ମେଟେଓର ଭଳି ଦୀର୍ଘ ଲକ୍ଷ୍ୟଭେଦ କ୍ଷମତା ଥିବା କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି।

Share