କାକଟପୁର/ଅସ୍ତରଙ୍ଗ,୨ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ରିଶୋଲ ଅଞ୍ଚଳରେ ଦୋଳ ବିମାନ ଗାଁ ଗାଁ ବୁଲିବା ସହ ଦେବୀନଦୀ ପାର ହୋଇ ନଈଗୁଆଁ, ଖଣ୍ଡାସାହି ଗ୍ରାମ ପରିକ୍ରମା କରିଛନ୍ତି। ସେହିପରି ବରାଙ୍ଗ, ନଗର, ଶିଶୁଅ, ଅସ୍ତରଙ୍ଗ, ଝାଡ଼ଲିଙ୍ଗ, ନୂଆଗଡ଼ ଦୋଳବିମାନ ମଧ୍ୟ ଗାଁ ଗାଁ ବୁଲି ପୂଜା ପାଉଛନ୍ତି।
ପରମ୍ପରା ମୁତାବକ, ଭୋଗ ପରେ ବିମାନରେ ବସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାମାଧବ। ବର୍ଷକ ପରେ ମନ୍ଦିରରୁ ବାହାର ପ୍ରାଙ୍ଗଣକୁ ବାହାରି ଭକ୍ତଙ୍କ ପାଖକୁ ଆସିଛନ୍ତି ଠାକୁର। ଭକ୍ତଙ୍କ ପକ୍ଷରୁ ପଇଡ଼, ଲିଆ, ଉଖୁଡା ଆଦି ଠାକୁରଙ୍କୁ ଭୋଗ ଅର୍ପଣ କରାଯାଉଛି।
ଦୋଳ ପାଇଁ ପ୍ରାଚୀ ଉପତ୍ୟକା ଏବେ ଚଳଚଞ୍ଚଳ ହୋଇଉଠିଛି। ଭାଇଚାରା ବାର୍ତ୍ତା ନେଇ ଗୋଷ୍ଠୀ ଗୋଷ୍ଠୀ ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହି ପର୍ୱ ଗ୍ରାମର ପିଲାଙ୍କଠାରୁ ବୁଢ଼ାଯାଏ ସଭିଁଙ୍କ ମନରେ ଭରିଦେଇଛି ଆନନ୍ଦ ଉଲ୍ଲାସ। ପ୍ରତି ଗଁାରେ ଜମାଣଠାରୁ ହରିହର ଭେଟ ପର୍ଯ୍ୟନ୍ତ ୩ ଦିନ ଧରି ଗଁାଗୁଡ଼ିକରେ ଉତ୍ସବ ପରିବେଶ ଲାଗି ରହିଥାଏ। ହରିବୋଲ, ହୁଳହୁଳି, ଶଙ୍ଖନାଦ, ଭଜନ କୀର୍ତ୍ତନରେ ଗାଁଦାଣ୍ଡ ଉଛୁଳି ପଡୁଛି।

