‘ସେଫ୍‌ ସିଟି ଡ୍ରାଇଭ’ ଅଭିଯାନକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର ,୭ା୫(ବ୍ୟୁରୋ):ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରାସାହି ସ୍ଥିତ ଏକ ଲେଡିଜ୍‌ ହଷ୍ଟେଲରେ ଶୁକ୍ରବାର ରାତିରେ କେତେଜଣ ଅସାମାଜିକ ଯୁବକ ଧସେଇ ପଶିବା ସହ ଜଣେ ଯୁବତୀଙ୍କୁ ଆକ୍ରମଣ କରିବା ସହ ପଥର ମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଉଠାଇ ଆଣି ଅଟକ ରଖି ପଚରାଉଚରା କରୁଛି। ହେଲେ ଏବେବି ଏକାଧିକ ଫେରାର ରହିଛନ୍ତି । ତେବେ ଏହି ଘଟଣା ପରେ ରାଜଧାନୀରେ ରୋଡ ରୋମିଓଙ୍କ ଉତ୍ପାତ ସାମ୍ନାକୁ ଆସିବା ସହ ରାଜଧାନୀରେ ମହିଳାଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଯୁବକଙ୍କ ଏଭଳିକାଣ୍ଡକୁ ନେଇ ନିନ୍ଦା କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ଅପରପକ୍ଷରେ ଯୁବତୀଙ୍କୁ ଆକ୍ରମଣ କରିବା ସମୟରେ ଏହାକୁ ରୋକିବା ପରିବର୍ତ୍ତେ କେତେଜଣ ଲୋକେ ଘଟଣାକୁ ଦେଖିବା ସହ ମୋବାଇଲରେ ଭିିଡିଓ ଉତ୍ତୋଳନ କରିଥିଲେ, ଯାହାକି ସବୁଠୁ ଦୁଃଖର ବିଷୟ। ଯୁବତୀ ଜଣଙ୍କ ଅସାମାଜିକ ଯୁବକଙ୍କ ସହ ଦୀର୍ଘ ୩୦ ମିନିଟ ଧରି ଏକାକୀ ଲଢେଇ କରିଥିଲେ। ଯେତେ ଧମକ ଦେଲେ ମଧ୍ୟ ଯୁବତୀ ଜଣଙ୍କ ଭୟ ନ କରି ତାଙ୍କୁ ସାମ୍ନା କରିଥିଲେ। ତେବେ ଯୁବତୀଙ୍କ ଏଭଳି ସାହସକିତାକୁ ଚାରିଆଡୁ ପ୍ରଶଂସା ମିଳିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିଭଳି ଶୁକ୍ରବାର ରାତିରେ କମିଶନରେଟ ପୋଲିସ ପକ୍ଷରୁ ସହରରେ ‘ସେଫ୍‌ ସିଟି ଡ୍ରାଇଭ’ ନେଇ ଗଳିକନ୍ଧିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ ବାଇକ ଯୋଗେ କଡ଼ାକଡ଼ି ପାଟ୍ରୋଲିଂ ଚାଲିଥିଲେ ମଧ୍ୟ ବହୁ ବିଳମ୍ବରେ ପହଞ୍ଚତ୍ବାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଶୁକ୍ରବାର ରାତିରେ ସାଢେ ୯ ଟା ସମୟରେ ବେହେରାସାହିସ୍ଥିତ ଏକ ଲେଡିଜ୍‌ ହଷ୍ଟେଲ ପାଖରେ ଯୁବତୀ ଲୀଲା ସ୍ବାଇଁ ଫୋନରେ କଥା ହେଉଥିବା ବେଳେ କିଛି ଦୁର୍ବୃତ୍ତ ସେହି ବାଟ ଦେଇ ଯିବା ସହ କମେଣ୍ଟ ମାରିଥିଲେ। ଏନେଇ ଯୁବତୀ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହଷ୍ଟେଲ ଭିତରକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ହଷ୍ଟେଲର ଅନ୍ତେବାସୀ ଓ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ହସ୍ତକ୍ଷେପ କରିବାରୁ ହଷ୍ଟେଲର କେତେଜଣ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରିଥିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ହଷ୍ଟେଲକୁ ଟେକା ମାଡ଼ କରିଥିଲେ। ଫଳରେ ଘରର କାଚ ଭାଙ୍ଗିବା ସହ ହଷ୍ଟେଲରେ ଥିବା ଗାଡି ମଧ୍ୟ ଭାଙ୍ଗିଯାଇଛି। ଏହି ଘଟଣା ପରେ ହଷ୍ଟେଲର ମାଲିକାଣୀ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ।