କ୍ୱାକ୍‌ ଚିକିତ୍ସା: ଔଷଧ, ଇଞ୍ଜେକ୍‌ସନ ନେଇ ମହିଳା ଗୁରୁତର

ପାରାଦୀପ,୧୩।୮(ସ୍ବ.ପ୍ର.): ପାରାଦୀପ ଷଣ୍ଢକୁଦ ବସ୍ତିରେ ଶୁକ୍ରବାର ଜଣେ ମହିଳା କ୍ୱାକଙ୍କ ପାଖରେ ଚିକିତ୍ସିତ ହୋଇ ଗୁରୁତର ହୋଇଛନ୍ତି। ତାଙ୍କୁ ପରିବାର ଲୋକେ ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ସବିତା ଚୌଧୁରୀ (୪୦)। ତାଙ୍କୁ ଥଣ୍ଡା ଜ୍ୱର ହୋଇଥିଲା। ଷଣ୍ଢକୁଦ ବସ୍ତିରେ ଥିବା ଏକ ଔଷଧ ଦୋକାନର କ୍ୱାକ୍‌ଙ୍କଠାରୁ ଔଷଧ ଖାଇବା ସହ ସକାଳେ ଇଞ୍ଜେକ୍‌ସନ ନେଇଥିଲେ। ତା’ପରଠାରୁ ତାଙ୍କ ମୁହଁ ଫୁଲି ଯାଇଥିଲା ଏବଂ ଦେହ ହାତ କୁଣ୍ଡେଇ ହୋଇଥିଲା। ଏପରିକି ଔଷଧ ଇଞ୍ଜେକ୍‌ସନ ପାଇଁ ସମ୍ପୃକ୍ତ କ୍ୱାକ୍‌ ୭ ହଜାରରୁ ଅଧିକ ଟଙ୍କା ନେଇଥିଲେ ବୋଲି ସବିତା କୁହନ୍ତି। ସେ କେଉଁ ଔଷଧ ଓ ଇଞ୍ଜେକ୍‌ସନ ନେଇଥିଲେ ତାର କୌଣସି ପ୍ରମାଣ ନାହିଁ। ସେଥିପାଇଁ ତାଙ୍କୁ ୨୪ ଘଣ୍ଟା ମେଡିକାଲରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପାରାଦୀପର ଅଧିକାଂଶ ବସ୍ତିରେ ଏଭଳି ଔଷଧ ଦୋକାନ ରହିଛି। ସେଠାରେ ଲୋକଙ୍କୁ ଚିକିତ୍ସା କରାଯାଉଛି। ଯାହାର କୌଣସି ସ୍ବିକୃତି ନାହିଁ ବୋଲି ଅଠରବାଙ୍କି ମେଡ଼ିକାଲ ସୂତ୍ରରୁ ପ୍ରକାଶ। ଏମିତି ଅନେକ ରୋଗୀ ଆସୁଛନ୍ତି ବୋଲି ସିଏମ୍‌ଓ ଡାକ୍ତର ବସନ୍ତ ରାଉତ କହିଛନ୍ତି। ଏବେ ବର୍ଷାଦିନ ଯୋଗୁ ଜ୍ୱର, ଝାଡା ବାନ୍ତି ଲାଗି ରହୁଛି। ଏହାର ଫାଇଦା କ୍ୱାକମାନେ ନେଉଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାସ କୁହନ୍ତି, ଏହା ଲୋକଙ୍କ ଦୋଷ, କାହିଁକି ସେମାନଙ୍କ ପାଖକୁ ଯାଉଛନ୍ତି। କେଉଁ ଔଷଧ ଦୋକାନୀ କିମ୍ବା ଡାକ୍ତର ଏଭଳି ଔଷଧ ଦେଇଛି ତା’ର କୌଣସି ପ୍ରମାଣ ନାହିଁ। ଏଭଳିସ୍ଥିତିରେ ଆମେ କିପରି ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଡ୍ରଗ୍ସ ଇନ୍ସପେକ୍ଟର ମନସ୍ବିନୀ ବିଶ୍ୱାଳ କୁହନ୍ତି, ବସ୍ତି ଅଞ୍ଚଳରେ ଥିବା ଅଧିକାଂଶ ଔଷଧ ଦୋକାନ ବିନା ଲାଇସେନ୍ସରେ ଚାଲିଛି। ଏ ସମ୍ପର୍କରେ ଅଭିଯୋଗ ଆସିଲେ ଆମେ ପଦକ୍ଷେପ ନେବୁ।