ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ

ପାରଳାଖେମୁଣ୍ଡି,୧୫ା୧୧(ଡି.ଏନ୍‌.ଏ.): ଶିଶୁ ଦିବସରେ ଅନାଥ ଆଶ୍ରମର ଅନ୍ତେବାସୀଙ୍କୁ ହଲ୍‌ରେ ଫିଲ୍ମ ଦେଖାଇ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଜଣେ ସାମାଜିକ କର୍ମୀ ନିଆରା ପ୍ରୟାସ କରିଛନ୍ତି। ପିଲାମାନଙ୍କୁ ହଲ୍‌କୁ ନେଇ ଦେଶ ତଥା ସମାଜ ପ୍ରତି ଦାୟିତ୍ୱବୋଧ ଉପରେ ଆଧାରିତ ଏକ ଓଡ଼ିଆ ଚଳଚିତ୍ର ଦେଖାଇଛନ୍ତି। ଅନ୍ୟପକ୍ଷରେ ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇଥିବାରୁ ପିଲାମାନେ ବହୁତ ଖୁସି ହୋଇଛନ୍ତି।
ଗଜପତି ଜିଲା ପାରଳାଖେମୁଣ୍ଡିରେ ରହିଛି ନବଜୀବନ ଅନାଥ ଆଶ୍ରମ। ଏନ୍‌ଜିଓ ଦ୍ୱାରା ପରିଚାଳିତ ଏହି ଆଶ୍ରମରେ ପ୍ରାୟ ୮୦ ଜଣ ଅସହାୟ ନାବାଳିକା ଓ ନାବାଳକ ଅଛନ୍ତି। ଶିଶୁ ଦିବସରେ ପାରଳାଖେମୁଣ୍ଡିର ସାମାଜିକ କର୍ମୀ ତଥା ଜିଲା ଯୁବ ବିଜେଡିର ସମ୍ପାଦକ ଦେବୀ ପ୍ରସାଦ ଦାସ ନବଜୀବନର ସମସ୍ତ ପିଲାଙ୍କୁ ସ୍ଥାନୀୟ ଏକ ହଲ୍‌କୁ ନେଇ ପ୍ରେରଣାଦାୟୀ ଓଡ଼ିଆ ଚଳଚ୍ଚିତ୍ର ‘ଦାମନ’ ଦେଖାଇଛନ୍ତି। ଏହି ଚଳଚ୍ଚିତ୍ରଟି ମାଲକାନଗିରି ଅଞ୍ଚଳର ଏକ ବାସ୍ତବ ଘଟଣା ଉପରେ ଆଧାରିତ। ଜଣେ ଡାକ୍ତରଙ୍କ ପ୍ରକୃତ କାହାଣୀ। ସେ ଜନସାଧାରଣଙ୍କୁ ଭଲ ପାଉଥିବା ବେଳେ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି। ଓଡିଆ ଅଭିନେତା ବାବୁଶାନଙ୍କ ଡାକ୍ତର ଭୂମିକା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଛି। ପାଠପଢା ସରିବା ପରେ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହେବାକୁ ଥିବା ଯୁବତୀ ଯୁବକଙ୍କୁ ଏହା ଉତ୍ସାହିତ କରୁଛି। ଅନାଥ ଆଶ୍ରମର ପିଲାମାନେ ଫିଲ୍ମ ଦେଖି ଉତ୍ସାହିତ ହୋଇଛନ୍ତି।