ପଲୁରୁ ଅଞ୍ଚଳରେ ୨ ମାସ ମଧ୍ୟରେ ହେବ ପୁଷ୍ପା-୨ ଶୁୁଟିଂ

ମାଲକାନଗିରି,୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଲୁରୁ ଅଞ୍ଚଳରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ପୁଷ୍ପା-୨ ଚଳଚ୍ଚିତ୍ର ଶୁଟିଂ। ଶୁକ୍ରବାର ପୁଷ୍ପା-୨ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁକୁମାରଙ୍କ ସହ ଜର୍ମାନୀରୁ କ୍ୟାମେରା ମୁଖ୍ୟ କୁବା ମାଲକାନଗିରି ଜିଲାରେ ଆସି ପହଞ୍ଚତ୍ଛନ୍ତି। ତାଙ୍କ ସହ ଆସିଥିବା ୨୦ଜଣିଆ ଟିମ୍‌ ପଲୁରୁ ଅଞ୍ଚଳର ପଲୁରୁ, ମାନ୍ୟମକୋଣ୍ଡା ଅଞ୍ଚଳ ବୁଲି ଦେଖିଛନ୍ତି। ଆଗାମୀ ଦୁଇମାସ ମଧ୍ୟରେ ଏହି ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ ସୁକୁମାର କହିଛନ୍ତି। ଆଲ୍ଲୁ ଅର୍ଜୁନଙ୍କ ସମେତ ଏହି ଚଳଚ୍ଚିତ୍ରର ଅନ୍ୟ କଳାକାରମାନେ ମାଲକାନଗିରିରେ ପହଞ୍ଚତ୍ ସୁଟିଂ ଆରମ୍ଭ କରିବେ। ସ୍ଥାନୀୟ ଜନସାଧାରଣ ଓ ପୋଲିସ ପ୍ରଶାସନ ସହଯୋଗରେ ଏଠାରେ ଶୁଟିଂ କରାଯିବ ବୋଲି ସୁକୁମାର କହିଛନ୍ତି।
ଅନ୍ୟପକ୍ଷରେ ପୁଷ୍ପା-୧ ଚଳଚ୍ଚିତ୍ର କେବଳ ଦକ୍ଷିଣ ଭାରତ ନୁହେଁ ସାରା ଭାରତରେ ଏକ ଚର୍ଚ୍ଚିତ ଚଳଚ୍ଚିତ୍ର ରୂପେ ବିବେଚତ ହୋଇଛି। ପ୍ରସ୍ତାବିତ ପୁଷ୍ପା-୨ ଚଳଚ୍ଚିତ୍ର ପ୍ରାୟ ୫୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ ହେବ ବୋଲି ଜଣାପଡିଛି। ଏଥିରେ ମଧ୍ୟ ଚଳଚ୍ଚିତ୍ରର ନାୟକ ଭାବେ ସାଉଥ୍‌ ସୁପରଷ୍ଟାର ଆଲୁ ଅର୍ଜୁନ ଏବଂ ନାୟିକା ରସ୍ମିକା, ସାଇ ପଲ୍ଲବୀ, ସୁନୀଲ, ଅନସୂୟା, ସାହାଦ୍‌ ଅସିମ, ଜଗଦିଶ ପ୍ରସାଦ, ଅଜୟ ଘୋଷଙ୍କ ଭଳି କଳାକାର ଅଭିନୟ କରିବେ। ପୁଷ୍ପା-୨ ଚଳଚ୍ଚିତ୍ର ମଧ୍ୟ ପୁଷ୍ପା-୧ ଭଳି ସଫଳତାର ଶୀର୍ଷରେ ରହିବ ବୋଲି ପ୍ରଯୋଜକମାନେ ଆଶା ପ୍ରକାଶ କରିଛନ୍ତି। ଗତମାସରେ ଏହି ଚଳଚ୍ଚିତ୍ର ପାଇଁ ଏକ ଟିମ୍‌ ଆସି ମାଲକାନଗିରି ଜିଲାପାଳ ଓ ଏସ୍‌ପିଙ୍କ ଅନୁମତି ଲୋଡିଥିଲେ। ସ୍ବାଭିମାନ ଅଞ୍ଚଳରେ ମଧ୍ୟ ଚଳଚ୍ଚିତ୍ର ଶୁୁଟିଂ ନେଇ ସିଡ୍ୟୁଲ ରହିଥିବା ସୁକୁମାର କହିଛନ୍ତି। କିଛି ପୋଲିସ କାର୍ଯ୍ୟାବଳୀ ସମ୍ପର୍କିତ ଶୁଟିଂ ଏଥିରେ ରଖାଯାଇଛି। ଆସନ୍ତା ୯ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପଲୁରୁ ଅଞ୍ଚଳ ବୁଲିବା ପରେ ଆସନ୍ତା ଜୁନ, ଜୁଲାଇ ମାସରେ ଉକ୍ତ ଅଞ୍ଚଳରେ ଶୁଟିଂ ଆରମ୍ଭ ହେବ ବୋଲି ସୁକୁମାର କହିଛନ୍ତି।