ପୁରୁଷୋତ୍ତମପୁର ତହସିଲ: ୩ ମାସରେ ୬୦ଲକ୍ଷ ଟଙ୍କାର ରାଜସ୍ବ ଆଦାୟ

ପୁରୁଷୋତ୍ତମପୁର, ୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ନୀତିଶ କୁମାର ତ୍ରିପାଠୀ ଯୋଗ ଦେବା ଇତିମଧ୍ୟରେ ୩ ମାସ ହୋଇଯାଇଛି। ତେବେ ଏହି ୩ ମାସ ମଧ୍ୟରେ ବହୁ ବେଆଇନ ବାଲି, ପଥର, ମୋରମ ଚାଲାଣ କରୁଥିବା ଗାଡିକୁ ଜବତ କରାଯିବା ସହ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରାଯାଇ ୬୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ରାଜସ୍ବ ଆଦାୟ କରାଯାଇଛି। ଏଥିସହ ଦୁଇ ହଜାରରୁ ଊର୍ଦ୍ଧ୍ୱ ଜମି ଓ ଘରବାଡ଼ି ପଟ୍ଟା ମୋ ତହସିଲ ଓ ତହସିଲଦାର ବିଭିନ୍ନ ଗ୍ରାମ ପରିଦର୍ଶନ କରି ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏପରି ତହସିଲଦାର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ଅଭିଯୋଗ ଶୁଣାଣୀ କରିବା ଏଠାରେ ଉଦାହରଣ ସୃଷ୍ଟି କରିଛି। ଏହାକୁ ନେଇ ତହସିଲଦାର ତ୍ରିପାଠୀ କହିଛନ୍ତି ଯେ, ବହୁ ଗରିବ ଶ୍ରେଣୀର ଲୋକେ ଜମିହୀନ ଅବସ୍ଥାରେ ରହି ଜୀବନ କାଟୁଥିବା ହେତୁ ସେମାନଙ୍କୁ ଅତିଶୀଘ୍ର ବସୁନ୍ଧରା ଯୋଜନାରେ ଆସନ୍ତା ମାସରେ ପଟ୍ଟା ଯୋଗାଇ ଦେବାଲାଗି ସ୍ଥିର କରାଯାଇଛି। କୌଣସି ହିତାଧିକାରୀଙ୍କୁ ଯେପରି ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡିବାକୁ ପଡିବ ନାହିଁ କି ହଇରାଣ ମଧ୍ୟ ହେବାକୁ ପଡ଼ିବ ନାହିଁ। ଯେପରି ସମସ୍ତେ ତହସିଲରୁ ସମସ୍ତ ପ୍ରକାର ସୁବିଧା ପାଇପାରିବେ ସେଥିନେଇ ମଧ୍ୟ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।