ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ସୋମବାର ପୂର୍ବାହ୍ନ ୧ଟାରେ ପୁରୀ ରେଲୱେ ଷ୍ଟେଶନରୁ ଗ୍ରୀନ ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଉକ୍ତ ଟ୍ରେନଟି ସପ୍ତାହକୁ ତିନିଦିନ ଚାଲିବ ପାଇଁ ରେଳ ବିଭାଗ ସ୍ଥିର କରିଛି।
ଟ୍ରେନଟି ପୁରୀରୁ ସୋମବାର ବାହାରି ଗତ ରାତ୍ରି ୧ଟା ରେ କେସିଙ୍ଗା ରେଲୱେ ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ ପହଞ୍ଚିଲା ପରେ ରେଳ ବିଭାଗ ଓ କେସିଙ୍ଗା ଭାଜପା ପକ୍ଷରୁ ସ୍ବାଗତ ଜଣାଇ ଲୋଗୋ ପାଇଲଟଙ୍କୁ ମିଠା ବଣ୍ଟନ କରାଯାଇଥିଲା। ଏହି ଟ୍ରେନ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ବାହାରିବ। କୋରାପୁଟରୁ ଟ୍ରେନ (ନଂ.୧୮୪୦୭) ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ବାହାରି ପରଦିନ ପୁରୀରେ ପହଞ୍ଚିବ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି। ଏହି ସ୍ପେସିଆଲ ଟ୍ରେନ କେସିଙ୍ଗା ରାତ୍ର ୧୦.୫୩ରେ ପହଂଚିବ। ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଗାଁ ଗହଳି ଯାତ୍ରୀ ଦୂର ଜାଗାକୁ କେମିତି ଯିବେ। ତେଣୁ ଏହାକୁ ପରିବର୍ତ୍ତନ କରିବାକୁ ଯାତ୍ରୀମାନେ ଦାବି କରିଛନ୍ତି। ଏହି ଟ୍ରେନ ୧୯ଟି ଷ୍ଟେଶନରେ ରହଣି ପାଇଁ ଧାର୍ଯ୍ୟ ହୋଇଛି। ପୁରୀ ,ସମ୍ବଲପୁର, ବଲାଙ୍ଗିର, ଟିଟିଲାଗଡ, କେସିଙ୍ଗା ଦେଇ ମୁନିଗୁଡା, ରାୟଗଡ଼ା ଦେଇ କୋରାପୁଟ ଦେଇ ଚାଲିବ।

ସେହିପରି ବ୍ରହ୍ମପୁରରୁ ଉଧନା ଅମୃତ ଭାରତ ଟ୍ରେନ ଗତକାଲିଠାରୁ ଦୈନିକ ଚାଲିଲା ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି। ଏହି ଟ୍ରେନ ଚାଲିବା ଦ୍ୱାରା କୋରାପୁଟ ,ପଶ୍ଚିମ ଓଡ଼ିଶା,ଦକ୍ଷିଣ ଓଡ଼ିଶାର ଲୋକଙ୍କ ଗମନାଗମନ କ୍ଷେତ୍ରରେ ସୁବିଧା ହେବା ସହ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପାଇବ ବୋଲି ଏବଂ ଯାତ୍ରୀମାନେ ସୁବିଧାରେ ଲକ୍ଷସ୍ଥଳକୁ ଠିକ ସମୟରେ ପହଞ୍ଚି ପାରିବେ ବୋଲି ଜଣାପଡିଛି।

 

Dharitri – Odisha’s No.1 Odia Daily

 

Share