ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ): ସମୟ ବଦଳିବା ସହ ଗାଡ଼ି ମଧ୍ୟ ବଦଳୁଛି। ସରକାରୀ ବାବୁ ମାନେ ଦିନେ ବିନା ଏସି ଗାଡିରେ କର୍ମକ୍ଷେତ୍ରରେ ବ୍ୟବହାର କରୁଥିଲେ। ବର୍ତ୍ତମାନ ଅଧିକାଂଶ ବିଭାଗରେ ଅତ୍ୟାଧୁନିକ ଏସି ଗାଡ଼ି ବ୍ୟବହାର ହେଉଛି। ଏଥିପାଇଁ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ ହେଉଛି। ବିଭିନ୍ନ ସମୟରେ ବର୍ତ୍ତମାନର ଅତ୍ୟାଧୁନିକ ସରକାରୀ ଗାଡି ଗୁଡ଼ିକୁ କିଛି ଅଫିସର ଏବଂ ସେମାନଙ୍କ ତଳିଆ କର୍ମଚାରୀ ମାନେ ଘରୋଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। କିନ୍ତୁ ଏଥିପ୍ରତି ଲଗାମ ଥିଲା ଭଳି ଅନୁଭବ ହେଉନାହିଁ। ଏହିଭଳି ଭଞ୍ଜନଗର ପାର୍କ ରୋଡ଼ରେ ଥିବା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ପୁରୁଣା ସରକାରୀ ଗାଡି ପଡ଼ି ରହି ରହି ଖତ ହୋଇଗଲାଣି। କିନ୍ତୁ ତାହାର ନିଲାମ ହେଉନାହିଁ। ଅନ୍ୟପଟେ ବାବୁ ମାନେ ନୂଆଁ ନୂଆଁ ଗାଡିରେ ବୁଲିବା ବେଳେ ପୁରୁଣା ଗାଡ଼ି କଥା ଭୁଲି ଯାଉଛନ୍ତି। ଏହିଭଳି ସହରର ଅନ୍ୟ କେତେକ ବିଭାଗରେ ମଧ୍ୟ ପୁରୁଣା ଗାଡ଼ି ପଡ଼ିପଡ଼ି ଖତ ଖାଉଛି। ତେଣୁ ପୁରୁଣା ଅବ୍ୟବହୃତ ଗାଡ଼ି ଗୁଡ଼ିକୁ ନିଲାମ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରତାପ ନାୟକଙ୍କ ମତାମତ ନେବାପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେ ଫୋନ ନଉଠାଇବାରୁ ତାଙ୍କର ମତାମତ ନିଆଯାଇପାରିନାହିଁ।

