Posted inଖେଳ

ଜନସାଧାରଣଙ୍କ ଆବେଗ ଓ ଫୁଟ୍‌ବଲ

ଫୁଟବଲ ଖେଳର ଆବେଗ ମାନବଜାତିକୁ କୈଶୋର ଅବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ଆବଦ୍ଧ କରି ରଖିବାରେ ସକ୍ଷମ ହୋଇଛି। ଊନବିଂଶ ଶତାବ୍ଦୀର ଷଷ୍ଠ ଦଶକରୁ ଆଜି ପର୍ଯ୍ୟନ୍ତ ଫୁଟବଲ ବିଶ୍ୱର ସର୍ବାଦୃତ ଆକର୍ଷଣୀୟ ଏବଂ ଲୋକପ୍ରିୟ ଖେଳ ଭାବେ ପ୍ରସିଦ୍ଧିଲାଭ କରିଛି। ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ ଫୁଟବଲ ଏବଂ ଅଲିମ୍ପିକ୍ସ ପରେ ସବୁଠାରୁ ବଡ଼ କ୍ରୀଡ଼ା ସମାରୋହର ମାନ୍ୟତା ପାଉଥିବା ଫିଫା ବିଶ୍ୱକପ୍‌ ଉପରେ ଏକ ସ୍ବତନ୍ତ୍ର ଉପସ୍ଥାପନା…

ନଭେମ୍ବର ୨୦ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ପ୍ରଥମଥର ପାଇଁ ମଧ୍ୟ ପ୍ରାଚ୍ୟ ଦେଶ କାତାରରେ ହେବାକୁ ଯାଉଛି ଫିପା ବିଶ୍ୱକପ୍‌ ଫୁଟବଲ୍‌ର ୨୨ତମ ସଂସ୍କରଣ। ୫ଟି ସହର ଯଥା- ଲୁସେଲ, ଆଲଖୋର, ଆଲରାୟାନ, ଆଲଓ୍ବାକରାହା ଏବଂ ଦୋହାରେ ”ଆର୍କିଟେକ୍‌ଚରାଲ ମାର୍ଭେଲ’ କୁହାଯାଉଥିବା ଅତ୍ୟାଧୁନିକ ଇଞ୍ଜିନିୟରିଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଦ୍ୱାରା ନିର୍ମିତ ୮ଟି ଷ୍ଟାଡିୟମରେ ବିଶ୍ୱର ଶ୍ରେଷ୍ଠ ୩୧ଟି ଜାତୀୟ ଦଳ ଏବଂ ଆୟେଜକ ଦେଶ କାତାର ଭାଗ ନେବ। ଫିପା ଦ୍ୱାରା ୬ଟି କନ୍‌ଫେଡେରେଶନ (କନ୍‌କାକାଫ, କନମେବଲ, ଓଏଫ୍‌ସି, ୟୁଏଫା, କାଫ୍‌, ଏଏଫ୍‌ସି) ଦ୍ୱାରା ଆୟୋଜିତ ପ୍ରାରମ୍ଭିକ ଯୋଗ୍ୟତା ପର୍ଯ୍ୟାୟର ଫଳାଫଳ ଅନୁସାରେ ୩୧ଟି ଦେଶ ବିଶ୍ୱକପ୍‌ ଫାଇନାଲ୍ସ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ପୂର୍ବରୁ ୪ଥର (୧୯୩୪, ୧୯୩୮, ୧୯୮୨ ଏବଂ ୨୦୦୬) ବିଶ୍ୱକପ୍‌ ବିଜେତା ଏବଂ ବିଶ୍ୱ ର଼୍ୟାଙ୍କ୍‌ରେ ୬ଷ୍ଠ ସ୍ଥାନରେ ଥିବା ଇଟାଲୀ ଫାଇନାଲ୍ସ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିପାରିନାହିଁ। ଅନ୍ୟ ଫୁଟବଲ ପ୍ରିୟ ଦେଶଗୁଡ଼ିକ ମଧ୍ୟରେ କଲମ୍ବିଆ, ପେରୁ, ଚିଲି, ନାଇଜେରିଆ ଓ ରୁଷିଆ ପ୍ରଭୃତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାରେ ସଫଳ ହୋଇପାରି ନାହାନ୍ତି। ମିଡିଆ ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୬୫ ପ୍ରତିଶତ ଜନସାଧାରଣ (୫୦୦ କୋଟି ଲୋକ) ଏହି ବିଶ୍ୱକପ୍‌କୁ ପ୍ରତ୍ୟକ୍ଷ ଓ ଟେଲିଭିଜନ ମାଧ୍ୟମରେ ଉପଭୋଗ କରିବେ।
ସର୍ବାଧିକ ଲୋକପ୍ରିୟ ଖେଳ
ପ୍ରସିଦ୍ଧ ଫରାସୀ ଦାର୍ଶନିକ ଓ ବିଦ୍ୱାନ ଆନ୍ଦ୍ରେମାରଲକ୍ସ ଥରେ ଫୁଟବଲ ଖେଳ ଉପରେ ଏକ ନିରୁତ୍ସାହଜନକ ମନ୍ତବ୍ୟ ଦେଇ କହିଥିଲେ ”ମୁଁ ଦୁଃଖିତ ଯେ ଆଜିକାଲି ଅଧିକ ସଂଖ୍ୟାରେ ଲୋକମାନେ ସଂଗ୍ରହାଳୟ ଅପେକ୍ଷା ଫୁଟବଲ ଷ୍ଟାଡିୟମ ଯିବାକୁ ପସନ୍ଦ କରୁଛନ୍ତି“। ଏହି ମନ୍ତବ୍ୟର ପ୍ରତିକ୍ରୟାରେ ଆନ୍ଦ୍ରେଙ୍କ ପରମବନ୍ଧୁ ୟୁନେସ୍କୋର ପୂର୍ବତନ ମହାନିର୍ଦ୍ଦେଶକ ରେନି ମାହେଉ କହିଥିଲେ, ”ମୋ ମତରେ ଦୁଇଟିଯାକ କାର୍ଯ୍ୟ କୌଣସି ମତେ ପରସ୍ପରର ବିରୋଧାତ୍ମକ ନୁହନ୍ତି। ଗୋଟିଏ ଆଦର୍ଶ ସମାଜରେ ଜନସାଧାରଣ ଉଭୟ ଷ୍ଟାଡିୟମ ଓ ସଂଗ୍ରହାଳୟକୁ ଯିବା ପାଇଁ ସ୍ବତଃପ୍ରବୃତ୍ତ ଆଗ୍ରହ ଦେଖାଇବେ। କାରଣ ଖେଳପଡ଼ିଆରେ ବଲ୍‌ ଚାଳନା ବେଳେ ଯେଉଁ କଳାତ୍ମକ ସୌନ୍ଦର୍ଯ୍ୟ ପରିସ୍ଫୁଟ ହୋଇଥାଏ ତାହା କୌଣସି ସୃଜନଶୀଳ କଳାକୃତି ସୃଷ୍ଟି କରିବାର ମୌଳିକ ପଦ୍ଧତିଠାରୁ ଭିନ୍ନ ନୁହେଁ।“ ଦୁଃଖର ବିଷୟ ବର୍ତ୍ତମାନ ଏହି ଦୁଇଜଣ ବିଶିଷ୍ଟ ବ୍ୟକ୍ତି ଆମ ଗହଣରେ ଜୀବିତ ନାହାନ୍ତି। ଫ୍ରାନ୍ସର ଲସନେ ସହରରେ ସ୍ଥାପିତ ଅତ୍ୟାଧୁନିକ ଅଲିମ୍ପିକ ସଂଗ୍ରହାଳୟ ଦେଖି ନିଶ୍ଚିତ ଭାବେ ସେମାନେ ଖୁସି ହୋଇଥା’ନ୍ତେ।
ପ୍ରଖ୍ୟାତ ଲେଖକ ଜେ.ବି. ପ୍ରିସଲେଙ୍କ ଭାଷାରେ ”ଯଦି ଲୋକମାନେ ଟଙ୍କା ଖର୍ଚ୍ଚକରି କେବଳ ୨୨ଜଣ ଭଡ଼ାଟିଆ ଖେଳାଳିଙ୍କ ବଲ୍‌ ଗଡ଼ାଇବା ଦେଖିବାକୁ ‘ଫୁଟବଲ’ କୁହାଯିବ ତେବେ ‘ଭାଓଲିନ୍‌’ ହେଉଛି ଖାଲି କାଠ ଓ ତାରର ମିଶ୍ରଣ ଏବଂ ‘ହାମଲେଟ୍‌’ (ସେକ୍‌ସ୍ପିୟରଙ୍କ ପ୍ରଖ୍ୟାତ ସାହିତ୍ୟକୃତି)କୁ କେବଳ କାଳି ଓ କାଗଜର ମିଶ୍ରଣ ବୋଲି କହିଲା ଭଳି ହେବ।
ଫରାସୀ ସାହିତ୍ୟ ନୋବେଲ ପୁରସ୍କାର ବିଜେତା ଆଲବର୍ଟ କାମୁ (୧୯୨୮-୩୦ରେ ବିଶ୍ୱବିଦ୍ୟାଳୟ ଜୁନିୟର ଟିମ୍‌ର ଗୋଲ୍‌କିପର ଭାବେ ଖେଳିଥିଲେ) ଫୁଟବଲ ଖେଳରୁ ହିଁ ଜୀବନର ସମସ୍ତ ମୂଲ୍ୟବୋଧର ପ୍ରେରଣା ପାଇଥିଲେ ବୋଲି ସ୍ବୀକର କରିଛନ୍ତି।
ଫୁଟବଲ ଖେଳର ଅସମ୍ଭବ ଲୋକପ୍ରିୟତା ଓ ଆକର୍ଷଣ ଉପରେ ମତଦେଇ ପ୍ରସିଦ୍ଧ ଆମେରିକୀୟ ଔପନ୍ୟାସିକ ଜର୍ଜ ଅରଓ୍ବେଲ କହିଛନ୍ତି ଯେ, ”ଦୁଇ ବିଶ୍ୱଯୁଦ୍ଧର ମଧ୍ୟବର୍ତ୍ତୀ ସମୟରେ ଅନେକ ବର୍ଷ ଧରି ‘ଗ୍ରେଟ୍‌ ଡିପ୍ରେଶନ’ ଦ୍ୱାରା ଆକ୍ରାନ୍ତ ନିଯୁକ୍ତି ବିହୀନ ୟୁରୋପ ମହାଦେଶର ଅସଂଖ୍ୟ ଜନସାଧାରଣ ଫୁଟବଲ ଖେଳରୁ ହିଁ ଜୀବନର ଅସହାୟତା ଓ ଦୁଃଖ ସହ୍ୟ କରିବା ପାଇଁ ଉତ୍ସାହ ପାଇଥିଲେ“। ଉପରୋକ୍ତ ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ମନ୍ତବ୍ୟରୁ ଜଣାଯାଏ ଫୁଟବଲ ଖେଳର ମୋହ, ମହତ୍ତ୍ୱ ଏବଂ ଅସମ୍ଭବ ଲୋକପ୍ରିୟତା।
ବିଶ୍ୱର ସବୁଠାରୁ ସହଜ, ଲୋକପ୍ରିୟ ଖେଳ ଫୁଟବଲ- ଆର୍ଜେଣ୍ଟିନାରୁ ଆଲଜେରିଆ, ବ୍ରାଜିଲରୁ ବୋସନିଆ, ଇଂଲଣ୍ଡରୁ ଇଥିଓପିଆ, କୋଷ୍ଟାରିକାରୁ କାମେରୁନ, ଇଜିପ୍ଟରୁ ଇକ୍ୱେଡର, ଆର୍ଜେଣ୍ଟିନାରୁ ଆମେରିକା, ଭିଏଟ୍‌ନାମରୁ ଭାରତ ଏହିପରି ବିଶ୍ୱର ସମସ୍ତ ମହାଦେଶରେ ପରିବ୍ୟାପ୍ତ। ପ୍ରତ୍ୟେକ ସହର, ଗଳି, ବଜାର ରାସ୍ତା, ଗଁାଦାଣ୍ଡ, ସମୁଦ୍ରକୂଳ ବାଲି ଏବଂ ଖାଲି ପଡ଼ିଆଠାରୁ ଆରମ୍ଭ କରି ଅତ୍ୟାଧୁନିକ ଷ୍ଟାଡିୟମରେ ଜାତି, ଧର୍ମ, ବୟସ ଓ ସାମାଜିକ ପ୍ରତିଷ୍ଠା ନିର୍ବିଶେଷରେ ଅସଂଖ୍ୟ ଜନସାଧାରଣ ଫୁଟବଲ ଖେଳିଥା’ନ୍ତି ଏବଂ ଦର୍ଶକ ଭାବେ ଆନନ୍ଦ ଉପଭୋଗ କରିଥା’ନ୍ତି। ଫୁଟବଲ ଖେଳର ଜନ୍ମ ଇଂଲଣ୍ଡରୁ ହୋଇଥିଲେ ମଧ୍ୟ ଏହାର ଲୋକପ୍ରିୟତା କୌଣସି ଦେଶରେ ସୀମାବଦ୍ଧ ହୋଇ ନ ରହି ସାରା ବିଶ୍ୱରେ ସର୍ବବ୍ୟାପୀ ହୋଇପାରିଛି। ଫୁଟବଲ ଖେଳର ଆଶ୍ଚର୍ଯ୍ୟଜନକ ଲୋକପ୍ରିୟତା ଅନେକ ବିଶେଷଜ୍ଞଙ୍କ ବିଶ୍ଳେଷଣର ବିଷୟବସ୍ତୁ ରୂପେ ପର୍ଯ୍ୟାପ୍ତ ଭାବେ ପର୍ଯ୍ୟାଲୋଚିତ ହୋଇଥିଲେ ମଧ୍ୟ ସମଗ୍ର ମାନବ ଜାତିକୁ ଫୁଟବଲ ଭୂତାଣୁ କିପରି ଓ କେତେ ପରିମାଣରେ ଗ୍ରାସ କରୁଛି ତାହାର ଠିକ୍‌ ଉତ୍ତର ଦେବା କୌଣସି ମନୋସ୍ତତ୍ତ୍ୱବିତ ବା ସମାଜବିଜ୍ଞାନୀଙ୍କ ପକ୍ଷେ ସମ୍ଭବ ହୋଇନାହିଁ। ଫୁଟବଲ ଖେଳର ଆବେଗ ମାନବଜାତିକୁ ତା’ର କୈଶୋର ଅବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ଆବଦ୍ଧ କରି ରଖିବାରେ ସକ୍ଷମ ହୋଇଛି। ଊନବିଂଶ ଶତାବ୍ଦୀର ଷଷ୍ଠ ଦଶକରୁ ଆଜି ପର୍ଯ୍ୟନ୍ତ ଫୁଟବଲ ବିଶ୍ୱର ସର୍ବାଦୃତ ଆକର୍ଷଣୀୟ ଏବଂ ଲୋକପ୍ରିୟ ଖେଳ ଭାବେ ପ୍ରସିଦ୍ଧି ଲାଭ କରିଛି। ଫୁଟବଲ ବିଶ୍ୱ କପ୍‌ ଅଲିମ୍ପିକ୍ସ ପରେ ଶ୍ରେଷ୍ଠ କ୍ରୀଡ଼ା ସମାରୋହ ଭାବେ ପରିଚିତ।
ବିଶ୍ୱକପ୍‌୍‌ର ସଂକ୍ଷିପ୍ତ ଇତିହାସ
୧୮୬୩ରେ ଇଂଲଣ୍ଡଠାରେ ଫୁଟବଲ ଆସୋସିଏଶନ (ଏଫ୍‌ଏ) ପ୍ରତିଷ୍ଠା ହେଲା ପରେ ଏହି ଖେଳର ପ୍ରସାର ଧୀରେ ଧୀରେ ବ୍ୟାପକ ହେବାକୁ ଲାଗିଲା। ପେସାଦାର ଖେଳାଳିମାନଙ୍କର ସଂଖ୍ୟା ବୃଦ୍ଧି ହେବା ଏବଂ ସେମାନଙ୍କର ଅଲିମ୍ପିକ୍ସ (କେବଳ ସୌଖୀନ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ) ପ୍ରତିଯୋଗିତାରେ ଭାଗ ନେବାରୁ ବଞ୍ଚିତ ହେବା ଫଳରେ ଫ୍ରାନ୍ସ ଫୁଟବଲ ଆସୋସିଏଶନର ସମ୍ପାଦକ ହେନେରି ଡେଲନେଙ୍କ ଦୃଢ଼ ପ୍ରସ୍ତାବ ଅନୁସାରେ ୧୯୨୮ରେ ବିଶ୍ୱ ଫୁଟବଲ ସଂଘ (ଫିଫା)ର ଆମଷ୍ଟାରଡାମ୍‌ କଂଗ୍ରେସ ଅଧିବେଶନ ୧୯୩୦ରେ ପ୍ରଥମ ବିଶ୍ୱକପ୍‌ ଫୁଟବଲ ପ୍ରତିଯାଗିତା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଲେ। ବିଶ୍ୱକପ୍‌ ବିଜେତାଙ୍କୁ ଫିଫା (ବିଶ୍ୱ ଫୁଟବଲ ସଂଘ)ର ତୃତୀୟ ଅଧ୍ୟକ୍ଷ (୧୯୨୦-୪୫)ଜୁଲ୍ସ ରିମେଙ୍କ ନାମରେ ନାମିତ ଟ୍ରଫି ପ୍ରଦାନ କରାଯିବାର ସ୍ଥିର କରାଗଲା। ବିଶ୍ୱ କପ୍‌ର ପ୍ରଥମ ସଂସ୍କରଣକୁ ଇଟାଲୀ, ନେଦରଲାଣ୍ଡ୍ସ, ହଙ୍ଗେରି, ସ୍ବିଡେନ୍‌, ସ୍ପେନ୍‌ ଏବଂ ଉରୁଗୁଏ ଏହିପରି ୬ଟି ଦେଶ ଆୟୋଜକ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଶେଷରେ ୧୯୨୪ ଏବଂ ୧୯୨୮ ଅଲିମ୍ପିକ୍ସ ଫୁଟବଲ ସ୍ବର୍ଣ୍ଣପଦକ ବିଜେତା ଉରୁଗୁଏକୁ ୧୯୩୦ରେ ପ୍ରଥମ ବିଶ୍ୱକପ୍‌ ଫୁଟବଲ ଆୟୋଜନ କରିବାର ସୁଯୋଗ ମିଳିଲା।
କାତାର ବିଶ୍ୱକପ୍‌ରେ ବିଶ୍ୱ ଫୁଟବଲ ର଼୍ୟାଙ୍କ୍‌ରେ ପ୍ରଥମ ସ୍ଥାନରେ ଥିବା ତାରକା ଖଚିତ ବ୍ରାଜିଲ ଦଳ (ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରୁ ଆଜିପର୍ଯ୍ୟନ୍ତ ସମସ୍ତ ୨୨ଟି ସଂସ୍କରଣରେ ଭାଗ ନେଇଥିବା ଏକମାତ୍ର ଦଳ) ସୁପରଷ୍ଟାର ନେମାର ଜୁନିୟରଙ୍କ ନେତୃତ୍ୱରେ ତା’ର ଷଷ୍ଠ ବିଶ୍ୱକପ୍‌ ଟ୍ରଫି ଜିତିବା ପାଇଁ ପ୍ରବଳ ଦାବିଦାର ରହିଛି। କେବଳ ଇଟାଲୀ (ଷଷ୍ଠ) ର଼୍ୟାଙ୍କ୍‌ ବ୍ୟତୀତ ଶ୍ରେଷ୍ଠ ଦଶଟି ସ୍ଥାନରେ ଥିବା ଦେଶ ବେଲ୍‌ଜିୟମ (ଦ୍ୱିତୀୟ), ଆର୍ଜେଣ୍ଟିନା (ତୃତୀୟ), ଫ୍ରାନ୍ସ (ଚତୁର୍ଥ), ଇଂଲଣ୍ଡ (୫ମ), ସ୍ପେନ୍‌ (୭ମ), ନେଦରଲାଣ୍ଡ୍ସ (୮ମ), ପର୍ତ୍ତୁଗାଲ (୯ମ), ଡେନ୍‌ମାର୍କ (୧୦ମ) ସହିତ ଜର୍ମାନୀ (୧୧ତମ) ମଧ୍ୟ ବିଶ୍ୱ ଫୁଟବଲର ଏହି ସର୍ବଶ୍ରେଷ୍ଠ ପୁରସ୍କାର ହାସଲ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବ।
ବିଶ୍ୱ ଫୁଟବଲ ଇତିହାସରେ ଏକାଧିକ କିମ୍ବଦନ୍ତୀ ଖେଳାଳି ଯଥା ଆଲ୍‌ଫ୍ରେଡ୍‌ ଡି. ଷ୍ଟିଫାନୋ, ପୁସକାସ, ଷ୍ଟାନ୍‌ଲେ ମାଥ୍ୟୁସ, ୟୁସୋବିଓ, ବବିମୁର, ବବି ଚାର୍ଲଟନ, ଜୋହାନ କ୍ରଫ୍‌, ପେଲେ, ମାରାଡୋନା, ମିଚେଲ ପ୍ଲାଟିନି, ଜିନାଡେନ୍‌ ଜିଡାନ, ରିଭା, ରିଭେରା, ରେଭିଲିନେ, ସକ୍ରେଟିସ୍‌, ଗାରିଞ୍ଚା, ବାର୍କେନବୁଅର, ରୋନାଲ୍ଡିନୋ ଏବଂ ଆହୁରି ଅନେକ ସେମାନଙ୍କର ଯାଦୁକରୀ କ୍ରୀଡ଼ା ପ୍ରଦର୍ଶନ ଦ୍ୱାରା ଅଗଣିତ ଦର୍ଶକଙ୍କୁ ବିଗତ ବର୍ଷଗୁଡ଼ିକରେ ମନୋରଞ୍ଜନ କରି ଆସିଛନ୍ତି।
ଏକବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦୁଇ ଦଶକରେ ଯେଉଁ ଦୁଇଜଣ ଖେଳାଳି ବିଶ୍ୱ ଫୁଟବଲକୁ ଏକ ଭିନ୍ନ ଏବଂ ଉଚ୍ଚତର ସ୍ତରରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି, ସେମାନେ ହେଲେ ଆର୍ଜେଣ୍ଟିନାର ଲିଓନେଲ ମେସି ଏବଂ ପର୍ତ୍ତୁଗାଲର କ୍ରୀଷ୍ଟିଆନୋ ରୋନାଲ୍ଟୋ। ଫୁଟବଲ ସମୀକ୍ଷକ, ବିଶେଷଜ୍ଞ, ଇତିହାସକାର ଏବଂ ସର୍ବୋପରି ଅଗଣିତ ଦର୍ଶକ ଏହି ଦୁଇଜଣ ଖେଳାଳିଙ୍କ ଅବିଶ୍ୱସନୀୟ ଫୁଟବଲ ଦକ୍ଷତାକୁ ଅନୁଶୀଳନ କରି ବିଶ୍ୱର ଶ୍ରେଷ୍ଠ ଖେଳାଳିର ମାନ୍ୟତା ଦେଇଛନ୍ତି।

ଅଶୋକ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri