ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌ ଯୋଗୁ ହିତାଧିକାରୀଙ୍କୁ ପୋଖରୀ ଭିତରେ ଚାଷଜମି ପଟ୍ଟା ପ୍ରଦାନ କରାଯାଇଛି। ଏଭଳି ଘଟଣା ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କୋମନା ବ୍ଲକ୍‌ ପୋଏର ଗାଁର ୨ ଜଣ ଭୂମିହୀନ ହିତାଧିକାରୀ ଲୋଚନ ଭୋଇ ଓ ମଙ୍ଗଳ ସୁନାନୀଙ୍କୁ ଲିଜ୍‌ ଆକାରରେ ୨୦୦୦ ନଭେମ୍ବର ୨୫ରେ ଜମି ପଟ୍ଟା ପ୍ରଦାନ କରାଯାଇଛି। ଅନ୍‌ଲାଇନ ମାଧ୍ୟମରେ ଜଣାପଡିଛି ଯେ, ଗାଁରେ ଘୁଷୁରିକଟା ନାମରେ ଥିବା ବଡ଼ପୋଖରୀ ଭିତରେ ବାଦଲି ଭୋଇ ସ୍ବାମୀ ଲୋଚନ ଭୋଇ ପିତା ବେନୁ ଭୋଇ ଜାତିରେ ଶବର କିସମ ବାହାଲ ନାମରେ ଚାଷୋପଯାଗୀ ବୋଲି ଖାତା ନଂ.୨୯୪/୬୮, ପ୍ଲଟ୍‌ ନଂ.୧୯୯୫ରେ ୧ ଏକର ୭୩ ଡେସମିଲ ଜମି ଲିଜ୍‌ ଆକାରରେ ପଟ୍ଟା ପ୍ରଦାନ କରାଯାଇଛି।

ସେହିପରି ଉକ୍ତ ଗାଁରେ ଶୁଖାମୁଣ୍ଡା ନାମରେ ଥିବା ଅନ୍ୟ ଏକ ପୋଖରୀ ଭିତରେ ଚମ୍ପା ସୁନାନୀ ସ୍ବାମୀ ମଙ୍ଗଳ ସୁନାନୀ, ସେନ୍ଦ୍ରି ସୁନାନୀ, ଲଲିତା ସୁନାନୀ, ଚିନ୍ତାମଣି ସୁନାନୀ ପିତା ମଙ୍ଗଳ ସୁନାନୀ ନାମରେ ଖତିୟାନର କ୍ରମିକ ନଂ.୨୯୪/୫୨ରେ ୫ଟି ପ୍ଲଟ୍‌ରେ ୧ ଏକର ୫୮ଡେସମିଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ପ୍ଲଟ୍‌ ନଂ.୧୯୦୯ରେ ୧୮ ଡେସମିଲ କିସମ ଆଟ, ପ୍ଲଟ୍‌ ନଂ.୧୯୦୩ରେ ୨୪ ଡେସମିଲ କିସମ ଆଟ, ପ୍ଲଟ୍‌ ନଂ.୧୯୦୦ରେ ୨୬ ଡେସିମିଲ କିସମ ବେର୍ଣ୍ଣା, ପ୍ଲଟ୍‌ ନଂ.୧୮୯୯ରେ ୧୯ ଡେସମିଲ କିସମ ଆଟ ଓ ପ୍ଲଟ୍‌ ନଂ.୧୮୮୪ରେ ୭୧ ଡେସିମିଲ କିସମ ଆଟ ବୋଲି ପଟ୍ଟାରେ ଉଲ୍ଲେଖ ରହିଛି।

ଜମି ପଟ୍ଟା ପାଇଲା ପରେ ହିତାଧିକାରୀ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲା ପରେ ଅନ୍‌ଲାଇନ ମାଧ୍ୟମରେ ଜମିପଟ୍ଟା ଯାଞ୍ଚ କରିଥିଲେ। ପୋଖରୀ ଭିତରେ ଜମି ପ୍ରଦାନ କରାଯାଇଥିବା ଜଣାପଡ଼ିବା ପରେ ସେମାନେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିକୁ ଯାଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି।

ସେଠାରେ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ତାହା ଆଗକୁ ବଢ଼ିପାରି ନାହିଁ। ଖୋଦ୍‌ ଜିଲା ମୁଖିଆଙ୍କୁ ଗୁହାରି କଲା ପରେ ସୁଫଳ ମିଳିଲା ନାହିଁ। ଆଉ କେଉଁଠିକୁ ଯିବେ ବୋଲି ହିତାଧିକାରୀ ଗଣମାଧ୍ୟମ ଆଗରେ ପ୍ରଶ୍ନ କରିଛନ୍ତି। ଏନେଇ ଉପଜିଲାପାଳ ସୁର୍ମୀ ସୋରେନଙ୍କୁ ପଚାରିବାରୁ ଯେତେବେଳେ ଜମିପଟ୍ଟା ପ୍ରଦାନ କରାଗଲା, ସେ ସମୟରେ ବୋଧେ ପୋଖରୀ ନ ଥିଲା। ତଦନ୍ତ କଲେ ଜଣାପଡ଼ିବ ଓ ତାହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

Share