ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ତରଫରୁ ଧାରଣା ଦିଆଯାଇଛି। ଜେଏମ୍ଏମର ଜିଲା ସଭାପତି ତଥା ମୋରଡା ନିର୍ବାମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ଦାସଙ୍କ ନେତୃତ୍ୱରେ କର୍ମୀମାନେ ୨ ଦଫା ଦାବି ନେଇ ଧାରଣାରେ ବସିବା ସହିତ ନାରାବାଜି ଦେଇଥିଲେ। ଏନେଇ ଏକ ଦାବିପତ୍ର କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଜରିଆରେ ସ୍ବାସ୍ଥ୍ୟ ଓ଼ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅବଗତି ନିମନ୍ତେ ପ୍ରଦାନ କରିଛନ୍ତି। କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ଯଥାଶୀଘ୍ର ପୂରଣ କରାଯିବା ସହିତ ଶିଶୁ ରୋଗ ବିଶେଷଜ୍ଞ, ଭେଷଜ,ଅସ୍ତ୍ରୋପଚାର, ସ୍ତ୍ରୀ ଓ଼ ପ୍ରସୂତି ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି କରିବା ଏବଂ ଡାକ୍ତରଖାନାରେ ଏକ୍ସରେ ମେଶିନ ଓ଼ ଅଲଟ୍ରାସାଉଣ୍ଡ ମେଶିିନ ସ୍ଥାପନ କରିବା ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଉକ୍ତ ଦାବିଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ଜେଏମ୍ଏମ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ସଭାପତି ଦାସ ଚେତାବନୀ ଦେଇଛନ୍ତି। ଧାରଣା ସମୟରେ ଦାସଙ୍କ ସହିତ ଦିବାକର ସୋରେନ, ସନାତନ ମୁର୍ମୁ, ତରିଣ ସେନାପତି, ସୁଜିତ କୁମାର ବେହେରା, ହେମନ୍ତ କୁମାର ମହାନ୍ତ, ସିପୁ ମୁଦୁଲି, ଅମୀର ଖାନଙ୍କ ସହିତ ଅନ୍ୟ କର୍ମୀଗଣ ଉପସ୍ଥିତ ଥିଲେ।


