ଲୋଇସିଂହା ୨୮।୫ (ସୁଶାନ୍ତ ବାଇକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ଗ୍ୟାଲେରୀ ଉପରୁ ବେଇଆନ ବାଲି ଚାଲାଣ ହେଉଛି। ଏହାର ପ୍ରଭାବରେ ପାନୀୟ ଜଳ ପ୍ରକଳ୍ପରେ ପାଣି ହେଉନାହିଁ। ପ୍ରକଳ୍ପରୁ ଜଳଯୋଗାଣ ଅନିୟମିତ ଦେଖାଦେଇଛି। ତେବେ ପଞ୍ଚାୟତ ଅଞ୍ଚଳରେ ପିଇବା ପାଣିର ଉତ୍କଟ ଅଭାବ ଦେଖାଦେଇଛି। ନଦୀର ପାନୀୟ ପ୍ରକଳ୍ପ ଗ୍ୟାଲେରୀ ସୀମାନ୍ତ ଅଞ୍ଚଳରୁ ବାଲି ଉଠାଣ ବନ୍ଦ ପାଇଁ ତହସିଲରୁ ଜିଲା ପ୍ରଶାସନକୁ ଜଣାଇଲେ ମଧ୍ୟ ସୁଫଳ ମିଳିପାରି ନାହିଁ। ଏବେ ପ୍ରଚଣ୍ଡ ତାପମାତ୍ରା ବୃଦ୍ଧି ପାଇବା ସହିତ ଘରେ ଘରେ ପିଇବା ପାଣିର ଚାହିଦା ବୃଦ୍ଧି ପାଇଛି।
ଏଭଳି ସ୍ଥିତିରେ ପାନୀୟ ପ୍ରକଳ୍ପ କାମରେ ଆସୁ ନ ଥିବାରୁ ସାଧାରଣ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବାଦ ସ୍ବରୂପ ଆଜି ପଞ୍ଚାୟତ ଅଧୀନ ଯୋଗୀସର୍ଡ଼ା,ଛେଲବାବାଲ, କେଉଁଟିପାଲି, ଗୁର୍ଜିଭଟା, ମାହାରପାଲିର ମହିଳା ପୁରୁଷ ଛେଲବାହାଲ ସୁକତେଲ ନଦୀକୁ ଯାଇ ସରପଞ୍ଚ ବିଜୁଳି ପ୍ରଧାନଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳକୁ ଯାଇ ବେଆଇନ ବାଲି ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ଜବତ କରିଛି। ଶୃଙ୍ଖଳିତ ଜଳ ଯୋଗାଣ ପାଇଁ ଛେଲବାହାଲ ବାଲି ଘାଟରୁ ବାଲି ଚାଲାଣ ବନ୍ଦ କରାନଗଲେ ଆଗାମୀ ଦିନରେ ବ୍ଲକ ତହସିଲ ଘେରିବାକୁ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।