ନୂଆପଡ଼ା,୨ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ପଞ୍ଚାୟତ ଠୋଙ୍ଗୋ ଗାଁରେ ଚାଲିଥିବା ବେଆଇନ ମଦ କୋଠି ବନ୍ଦ କରିବା ପାଇଁ ଗ୍ରାମବାସୀ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଭାବରେ ଜଣାଇଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଠୋଙ୍ଗୋ ଗାଁରେ ୯୫ ପ୍ରତିଶତ ଆଦିବାସୀ ଶ୍ରେଣୀର ଲୋକ ବାସ କରନ୍ତି। ଛୋଟବଡ ୮ ପଡା ଓ ଗାଁରେ ଲୋକସଂଖ୍ୟା ୨ ହଜାରରୁ ଅଧିକ ହେବ। ଏହି ୮ ପଡାରେ ଦେଶୀ, ବିଦେଶୀ ଓ ରନ୍ଧା ମଦ କୋଠି ୪ଟି ରହିଛି। ବେଆଇନ ମଦ ବିକ୍ରୟ ଯୋଗୁ ଲୋକେ ମଦ ପିଇ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଏହାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି । ଏହାକୁ ବିରୋଧ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଗ୍ରାମବାସୀ ଗାଁରେ ସଭା କରି ମଦ କୋଠି ବନ୍ଦ କରିବା ପାଇଁ କହିଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ପରେ ଏ ନେଇ ଜିଲା ପ୍ରଶାସନ, ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନକୁ ଲିଖିତ ଭାବରେ ଜଣାଇଲେ ବି କୌଣସି ପଦକ୍ଷେପ ନିଆଗଲା ନାହିଁ । ମଦ ବିକ୍ରିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ମାମଲା ବଦଳରେ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କରାଗଲା। ଜାନୁଆରୀ ୩ରେ କୋମନା ଥାନା କେସ ନଂ.୬/୨୫ରେ ଏକ ମାମଲା ରୁଜୁ ହୋଇଛି।
ସୋମବାର ପୁଣିଥରେ ନୂଆପଡା ଅଭିଯୋଗ ଶୁଣାଣିରେ ଲିଖିତ ଭାବରେ ଜଣାଇ ସପ୍ତାହ ଭିତରେ ମଦ କୋଠି ବନ୍ଦ ନ ହେଲେ ଧାରଣା ଦେବେ ବୋଲି ରୋକଠୋକ ଶୁଣାଇଛନ୍ତି। ଏ ସଂକ୍ରାନ୍ତରେ ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନଙ୍କୁ ପଚାରିବାରୁ ବହୁ ଶୀଘ୍ର ମଦ କୋଠି ବନ୍ଦ କରାଇ ବେଆଇନ କାରବାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଏହି ସମୟରେ ପେରମାନନ୍ଦ ମାଝି, ସୁମିତ୍ରା ମାଝି, ଦମୟନ୍ତି ଛତ୍ରିଆ, ରୁକ୍ମଣି ମାଝି, ହେମକାନ୍ତି ମାଝି, ବିଳାଶ ମାଝି, ମିଥିଳା ମାଝି, ଯଶୋଦା ମାଝି, କ୍ଷୀର ମାଝି, ପଦ୍ମନୀ ମାଝି, ବଂଶୀଧର ମାଝି, ସନାତନ ମାଝି ପ୍ରମୁଖ ଉପସ୍ଥିତ ଥିଲେ ା


