ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର ଦେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରେ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ମୋହନା ବ୍ଲକରେ ଥିବା ଭୂମିହୀନମାନଙ୍କୁ ପଟ୍ଟା ଯୋଗାଇବା, ନୀରିହ ଲୋକଙ୍କୁ ଲୁଟୁଥିବା ଅପରାଧୀଙ୍କୁ ଗିରଫ କରିବା, ସାମାଜିକ ନ୍ୟାୟ, ମୌଳିକ ନ୍ୟାୟ ପ୍ରଦାନ, ଉଚ୍ଚଶିକ୍ଷା ପାଇଁ ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ପ୍ରଦାନ ନେଇ ଶତାଧିକ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାରୀ ଜମିକୁ ବେସରକାରୀ ସଂସ୍ଥାକୁ ପ୍ରଦାନ କରାଯାଉଥିବା ବେଳେ ଗରିବ ଭୂମିହୀନ ଲୋକଙ୍କୁ ଜମି ମିଳୁ ନ ଥିବା ସେମାନେ ଅଭିଯୋଗ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ମୋହନା ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

