ବିମାନବନ୍ଦର ପାଇଁ ନୂଆ ସ୍ଥାନ ଚିହ୍ନଟ କରିବାକୁ ପ୍ରସ୍ତାବ

ବ୍ରହ୍ମପୁର ଅଫିସ,୩୧ା୧୨: ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ନୂତନ ସ୍ଥାନ ଚିହ୍ନଟ କରିବା ଲାଗି ଓଡିଶା ଡେଭଲପମେଣ୍ଟ ଫୋରମ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିସହ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଫୋରମ ପକ୍ଷରୁ କୁହାଇଯାଇଛି ଯେ, ବ୍ରହ୍ମପୁର ସହର ସଂଲଗ୍ନ ସୋନପପୁର-ସୁମାଣ୍ଡି ଅଞ୍ଚଳ, ଶୀତଳାପଲ୍ଲୀ ଓ ବ୍ରହ୍ମପୁର ତାରାତାରିଣୀ ରାସ୍ତାର ଚଣ୍ଡିପଦର ଅଞ୍ଚଳରେ ପର୍ଯ୍ୟାପ୍ତ ଖୋଲା ଜମି ରହଛି। ଏହା ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ । ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚିତ କରିବା ଲାଗି ଫୋରମ ପକ୍ଷରୁ କୁହାଯାଇଥିଲା। ଅନ୍ୟପଟେ ୨୦୧୪ରେ ବ୍ରହ୍ମପୁରରୁ ଭୁବନେଶ୍ୱର କିଛିଦିନ ବିମାନ ଉଡାଣ ହୋଇଥିଲା। ପରେ ରାଜ୍ୟ ସରକାର ଏକ ତରଫା ଭାବେ ଉଡାଣ ସେବା ବନ୍ଦ କରିଦେଇଥିଲେ। ଗତ ୪ ବର୍ଷ ତଳେ ଆରସିଏସ ଉଡାଣ ୪.୧ ଯୋଜନାରେ ବ୍ରହ୍ମପୁର ଏୟାରଷ୍ଟ୍ରିପକୁ ଏକ ପୂର୍ଣ୍ଣାଙ୍କ ବିମାନ ବନ୍ଦରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କିନ୍ତୁ ରଙ୍ଗେଇଲୁଣ୍ଡାରେ ଜାଗାର ଅଭାବ କାରଣରୁ ବ୍ରହ୍ମପୁର ସହର ବାହାରେ ଏକ ବଡ ସ୍ଥାନରେ ଗ୍ରୀନ ଫିଲଡ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଫୋରମ ପକ୍ଷରୁ ଦାବି ହୋଇଛି। ଦାବିପତ୍ର ପ୍ରଦାନ ସମୟରେ ଫୋରମ ସଭାପତି ରାମ ପ୍ରସାଦ ତ୍ରିପାଠୀ, ସହ ସଂପାଦକ ମାନସ ରଞ୍ଜନ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ ଓ କିରଣ କୁମାର ପଣ୍ଡାଙ୍କ ସମେତ ଫୋରମର ବହୁ ସଦସ୍ୟ ଉପସ୍ଥିତ ଥିଲେ।