ଡେରାବିଶ, ୧୪।୧୦ (ବେବର୍ତ୍ତା ଅଜୟ ଦାସ): ରାଜ୍ୟର ମୋଟ ୪୨ ଟି ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ନେଇ ରିପୋର୍ଟ ମଗାଯାଇଥିବା ବେଳେ ୪୨ ଟି କଲେଜକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ ପାଇଁ ସରକାର ସୂଚନା ଦେଇଛନ୍ତି। ତେବେ ଏହି ପ୍ରସ୍ତାବିତ ତାଲିକାରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ଏକାଧିକ କଲେଜର ନାମ ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏକମାତ୍ର କଲେଜ ଭାବେ ଡେରାବିଶ ମହାବିଦ୍ୟାଳୟର ନାମ ସାମିଲ ରହିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି। ଏହା ହୋଇପାରିଲେ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବା ସହ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି ଆଶା ସଞ୍ଚାର ହୋଇଛି।
ଏହି ତାଲିକାଭୁକ୍ତ ସମସ୍ତ ୪୨ ଟି ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ନେଇ ଗତ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତାଲିକାଭୁକ୍ତ ସମସ୍ତ ମହାବିଦ୍ୟାଳୟ ଆଗାମୀ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏଚଆରଏମଏସ (ହାଇଅର ଏଜୁକେସନ ଇନଫରମେସନ ମ୍ୟାନେଜମେଣ୍ଟ ସିଷ୍ଟମ) ପୋର୍ଟାଲରେ ଆବଶ୍ୟକୀୟ ତଥ୍ୟ ଅପଲୋଡ଼ କରାଇବା ପାଇଁ ଏହି ବୈଠକରେ ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ତାଲିକାରେ ଥିବା ଡେରାବିଶ ମହାବିଦ୍ୟାଳୟ ଏହି ମାନ୍ୟତା ପାଇବା ପାଇଁ ରହିଥିବା ମାନଦଣ୍ଡ ପୂରଣ କରୁଥିଲେ ସୁଦ୍ଧା ବିଭିନ୍ନ କାରଣ ପାଇଁ ଏଥିରୁ ବଞ୍ଚିତ ହୋଇ ଆସୁଥିଲା। ଏହି ମାନ୍ୟତା ପାଇଲେ ଡେରାବିଶ ମହାବିଦ୍ୟାଳୟର ଶିକ୍ଷାଦାନ କାର୍ଯ୍ୟକ୍ରମ ଓ ପରୀକ୍ଷା ପରିଚାଳନା କ୍ଷେତ୍ରରେ ଅଧିକ ସ୍ୱାଧୀନତା ପାଇବା ସହ ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଏହାର ସୁଫଳ ପାଇପାରିବେ। ତେବେ ପ୍ରସ୍ତାବ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଚୂଡ଼ାନ୍ତ ନିଷ୍ପତ୍ତି ପରେ ଏହି ମହାବିଦ୍ୟାଳୟର ସ୍ୱୟଂଶାସିତ ମାନ୍ୟତା ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ, ୧୯୮୦-୮୧ ଆର୍ଥିକ ବର୍ଷରେ ଡେରାବିଶ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ତାଳଛପର ଘରୁ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟର କାୟାକଳ୍ପ ଓ ଭିତ୍ତିଭୂମି କାଳକ୍ରମେ ବଦଳି ଥିବା ବେଳେ ଅଧ୍ୟକ୍ଷମାନଙ୍କ ପ୍ରଶାସନିକ ଦକ୍ଷତା, ଅଧ୍ୟାପକ ଅଧ୍ୟାପିକାମାନଙ୍କ ପରିଶ୍ରମ ଯୋଗୁଁ ଶିକ୍ଷାଦାନର ମାନ ଉତ୍ତମ ହୋଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଆସ୍ଥାଭାଜନ ହୋଇପାରିଥିଲା। ମହାବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଭାପତି ଶରତ କୁମାର କର, ପ୍ରାକ୍ତନ ଅଧ୍ୟକ୍ଷ ଚନ୍ଦ୍ରଶେଖର ନାୟକଙ୍କ ନିଷ୍ଠାପର ଉଦ୍ୟମ ମହାବିଦ୍ୟାଳୟର ସମସ୍ତ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରୁଥିବାରୁ ୟୁଜିସି ଜାନୁଆରୀ ୨୦୨୫ରେ ଏହି ଶିକ୍ଷାନୁଷ୍ଠାନକୁ B++ ନାକ୍ (NAAC) ମାନ୍ୟତା ପ୍ରଦାନ କରିଥିଲା।

