ସୋନପୁର,୨୮ା୫(ମୃତ୍ୟୁଞ୍ଜୟ ଶତପଥୀ):୨୦୧୧ ମସିହା ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ପଦୋନ୍ନତି ପାଇବାକୁ ହେଲେ ଓଟିଇଟି(ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) ଦେବାକୁ ପଡିବ l ଏପରିକି ଅବସରର ଦ୍ୱାରଦେଶରେ ଥିବା ପ୍ରାଥମିକ ଶିକ୍ଷକଙ୍କ ପାଇଁ ମଧ୍ୟ ଓଟିଇଟି ବିନା ପଦୋନ୍ନତି ମନା। ଏହିପରି ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଓଡ଼ିଶାରେ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଓଟିଇଟି ପାସ ସାର୍ଟିଫିକେଟ ନ ଥିଲେ ଲେବୁଲ-ଭି(ଏ)ରେ ଥିବା ଶିକ୍ଷକଙ୍କୁ ଲେବୁଲ- ଭି(ବି) କୁ ପଦୋନ୍ନତି ମନା। ସରକାରଙ୍କ ଏହି ନିର୍ଦ୍ଦେଶ ପ୍ରକାଶ ପାଇବା ପରେ ରାଜ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ଆରଟିଇ ଆକ୍ଟ-୨୦୦୯କୁ ଭିତ୍ତିକରି କେନ୍ଦ୍ର ସରକାରଙ୍କ ତରଫରୁ ଏନସିଟିଇ ତା ୨୩/୦୮/୨୦୧୦ରିଖରେ ବିଜ୍ଞପ୍ତି ମାଧ୍ୟମରେ ପାରା ୪ ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଯେଉଁମାନେ ୨୦୦୧ ମସିହା ପୂର୍ବରୁ କିମ୍ବା ୨୦୦୧ ମସିହାରେ ପ୍ରକାଶିତ ଏନସିଟିଇ ବିଜ୍ଞପ୍ତି ଆଧାରରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସହ ନିଯୁକ୍ତି ପାଇଛନ୍ତି ସେମାନଙ୍କ କ୍ଷେତ୍ରରେ ଓଟିଇଟି ଲାଗୁ ହେବନାହିଁ। କିନ୍ତୁ ତା୧୧l୦୨l୨୦୧୧ରିଖ ପୂର୍ବରୁ ନିଯୁକ୍ତ ଶିକ୍ଷକ ଓଟିଇଟି ବିନା ପଦୋନ୍ନତି ମନା ସରକାରଙ୍କ ଏହି ନିର୍ଦେଶାନାମାକୁ ଚ୍ୟାଲେଞ୍ଜ କରି କେତେକ ଶିକ୍ଷକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ କେତେକ ଶିକ୍ଷକ ସଙ୍ଗଠନ ଆନ୍ଦୋଳନ କରିବା ପାଇଁ ସଜବାଜ ଆରମ୍ଭ କରିଦେଲେଣି। ଓଡ଼ିଶା ସରକାରଙ୍କ ଏହି ନିର୍ଦ୍ଦେଶନାମା ଫଳରେ ଓଡ଼ିଶାରେ କାର୍ଯ୍ୟରତ ଗଣଶିକ୍ଷକ, ଅଣ ଅନୁଦାନ/ଅନୁଦାନପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ ଏବଂ ଯେଉଁ ପ୍ରାଥମିକ ଶିକ୍ଷକ ୨୦୧୧ ପୂର୍ବରୁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନଥାଇ ନିଯୁକ୍ତ ହୋଇଛନ୍ତି ସେମାନେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଦେବା ବଦଳରେ ୨୦୧୧ ପୂର୍ବରୁ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ବାଧ୍ୟ କରାଯାଇଛି। ଏହି ନିଷ୍ପତ୍ତିକୁ ବିରୋଧ କରି ସୁବର୍ଣ୍ଣପୁର ସହର ସୁବର୍ଣ୍ଣମେରୁ ମନ୍ଦିରର ଜିଲାରେ କାର୍ଯ୍ୟରତ ଶିକ୍ଷୟିତ୍ରୀଶିକ୍ଷକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସରକାରଙ୍କ ଉକ୍ତ ଆଦେଶକୁ ଘୋର ବିରୋଧ କରାଯିବା ସହିତ ଆସନ୍ତା ଜୁନ ୪ ତାରିଖ ଜିଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଉକ୍ତ ପତ୍ର ପ୍ରତ୍ୟାହାର କରିବା ସକାଶେ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାପରେ ମଧ୍ୟ ସରକାର ଶିକ୍ଷକଙ୍କ ଦାବି ପ୍ରତି କର୍ଣ୍ଣପାତ ନ କଲେ ଆଗାମୀ ଦିନରେ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ଉକ୍ତ ବୈଠକରେ ହୃଷୀକେଶ ଚାନ୍ଦ, ଦୋଳଗୋବିନ୍ଦ ପଣ୍ଡା, ବିଶ୍ୱବିହାରୀ ମିଶ୍ର, ଶ୍ରୀନିବାସ ରଥ, ଗୋପେଶ ପଣ୍ଡା ଓ ସରୋଜ ସାହୁ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ l


