Categories: ବାଣିଜ୍ୟ

ନିବେଶକଙ୍କୁ ୩୧ ଲକ୍ଷ କୋଟି ଲାଭ

ମୁମ୍ବାଇ, ୨।୮:  ଚଳିତ ଆର୍ଥତ୍କବର୍ଷରେ ଭାରତୀୟ ପୁଞ୍ଜି ବଜାରର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ମାତ୍ର ୪ ମାସରେ ନିବେଶକ ୩୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଯୋଡ଼ିବାକୁ ସକ୍ଷମ ହୋଇଛନ୍ତି। ବଜାର ଊର୍ଦ୍ଧ୍ୱଗାମୀ ଧାରା ଜାରି ରଖିଥିବାରୁ ଏଭଳି ସ୍ଥିତି ଦେଖାଯାଇଛି। ଏପ୍ରିଲ-ଜୁଲାଇ ମାସ ଅବଧିରେ ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ୩୦୭୭.୬୯ ପଏଣ୍ଟ(୬.୨୧%) ବଢିଛି। ଚଳିତବର୍ଷ ଜୁଲାଇ ୧୬ରେ ସେନ୍‌ସେକ୍ସ ୫୩,୨୯୦.୮୧ ପଏଣ୍ଟ ସ୍ତରରେ ରହିଥିଲା। ଜୁଲାଇ ୧୫ରେ ଏହା ସର୍ବକାଳୀନ ରେକର୍ଡ ସ୍ତର ୫୩,୧୫୮ ପଏଣ୍ଟରେ ବନ୍ଦ ହୋଇଥିଲା। ନିବେଶକଙ୍କ ନିବେଶ ଧାରା ବଢ଼ିବାରୁ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜୀକରଣ ୩୧.୧୮ ଲକ୍ଷ କୋଟି ଟଙ୍କା ବଢ଼ିଛି। ଫଳରେ ଜୁଲାଇ ୩୦ ସୁଦ୍ଧା ଏହା ୨୩୫ ଲକ୍ଷ କୋଟି ଛୁଇଁଥିବା ଜଣାପଡ଼ିଛି।
ବଜାରରୁ ଲଗାତର ଅର୍ଥ ପ୍ରବାହ ଏବଂ ନଗଦ ଏଭଳି ସ୍ଥିତିକୁ ଉତ୍ସାହିତ କରୁଥିବା ଇକ୍ୱିଟି ୯୯ର ସହ ପ୍ରତିଷ୍ଠାତା ରାହୁଲ ଶର୍ମା କହିଛନ୍ତି। କରୋନା ଲାଗି ଗତ ବର୍ଷ ମାର୍ଚ୍ଚ ମାସରେ ସେନ୍‌ସେକ୍ସ ରେକର୍ଡ ସ୍ତରକୁ ଖସିଥିଲା। ମାତ୍ର ଏହା ପରଠାରୁ ସୂଚକାଙ୍କ ୨ ଗୁଣରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି। ବଜାର ସ୍ଥିତି ସୁଧାର ଆସିବା ପରେ ପୁଞ୍ଜି ବଜାର ଊର୍ଦ୍ଧ୍ୱଗାମୀ ହୋଇ ଚାଲିଛି। ୨୦୨୦-୨୧ରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜୀକରଣ ୯୦.୮୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୨୦୪ ଲକ୍ଷ କୋଟି ଛୁଇଁଥିଲା। ଗତ ବର୍ଷ ସେନସେକ୍ସ ୨୦,୦୪୦ ପଏଣ୍ଟ (୬୮%) ବଢ଼ିଛି। କୋଭିଡ୍‌-୧୯ ଅନିଶ୍ଚିତତା ସତ୍ତ୍ୱେ ବଜାରରେ ବୃଦ୍ଧି ଧାରା ଅବିରତ ରହିଛି।
ଇଜିପ୍ଟ ଏବଂ ଇରାନ ଭଳି କିଛି ବଜାରକୁ ଛାଡ଼ିଦେଲେ ସାରା ବିଶ୍ୱର ଶେୟାର ବଜାର ଊର୍ଦ୍ଧ୍ୱଗାମୀ ରହୁଥିବା ଜିଓଜିତ ଫାଇନାନ୍ସିଆଲ ସର୍ଭିସେସର ମୁଖ୍ୟ ନିବେଶ ଷ୍ଟ୍ରାଟେଜିଷ୍ଟ ଭି.କେ.ବିଜୟ କୁମାର କହିଛନ୍ତି। ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ପଦକ୍ଷେପ ଫଳରେ ବଜାରରେ ନଗଦ ଉନ୍ନତ ରହିଛି।

Share