ଗୁରୁ ଦିବସରେ କଳାବ୍ୟାଜ୍‌ ପିନ୍ଧିଲେ ଅଧ୍ୟାପକ

ବ୍ରହ୍ମପୁର,୫ା୯(ସୁବାସ ଚନ୍ଦ୍ର ପାଢ଼ୀ): ଓଡିଶା ରାଜ୍ୟ ଚୟନ ବୋର୍ଡ ଅଧ୍ୟାପକ ସଂଘର ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ କାର୍ଯ୍ୟରତ ୨୭ଟି ଅନୁଦାନପ୍ରାପ୍ତ ବେସରକାରୀ କଲେଜର ୨୫୩ ଜଣ ଅଧ୍ୟାପିକା ଓ ଅଧ୍ୟାପକ ଗୁରୁ ଦିବସରେ କଳାବ୍ୟାଜ ପରିଧାନ କରିଛନ୍ତି। ରାଜ୍ୟ ସରକାର ୮ବର୍ଷ ହେଲା ସ୍ନାତକ ଶ୍ରେଣୀ ପାଇଁ ଅଧ୍ୟାପକ ଭାବେ ନିଯୁକ୍ତି ଦେଇଥିଲେ ମଧ୍ୟ ସେହି ଅନୁସାରେ ଦରମା ଦେଇନାହାନ୍ତି। ଗତ ସପ୍ତାହରେ ଓଡିଶା ରାଜ୍ୟ ଚୟନ ବୋର୍ଡ ଅଧ୍ୟାପକ ସଂଘର ଏକ ପ୍ରତିନିଧି ଦଳ ସରକାରଙ୍କୁ ୪୭୦୦ ବେସିକ୍‌ ପେ’ରୁ ବୃଦ୍ଧି କରି ୫୪୦୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ। ସପ୍ତାହକ ମଧ୍ୟରେ ବିଚାର ନିମନ୍ତେ ପ୍ରତିଶ୍ରୁତି ମିଳିଥିଲା। ସରକାର ପ୍ରତିଶ୍ରୁତି ପାଳନ ନ କରିବାରୁ ମଙ୍ଗଳବାର ଅଧ୍ୟାପିକା, ଅଧ୍ୟାପକ କଳାବ୍ୟାଜ ପରିଧାନ କରିଛନ୍ତି। ଶୀଘ୍ର ଦାବି ଶୁଣା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ରାଜ୍ୟ ସଂଘ ସଭାପତି ସରୋଜକାନ୍ତ ନାୟକ କହିଛନ୍ତି। ବିଭିନ୍ନ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅଧ୍ୟାପିକା ଅଧ୍ୟାପକମାନେ କଳାବ୍ୟାଜ ପରିଧାନ କରି ପ୍ରତିବାଦ କରିଥିଲେ। ଅଧ୍ୟାପକ ଚିତ୍ରସେନ ବେହେରା, ଆଦିତ୍ୟ କୁମାର ମୁନି, ରାଜେନ୍ଦ୍ର ଗୌଡ଼, ପ୍ରିୟବ୍ରତ ପ୍ରଧାନ, ମିନତୀ ବେହେରା, ସସ୍ମିତା କୁମାରୀ ପାତ୍ର, ସାଇ ଶଙ୍କର ସ୍ବାଇଁ, ଲକ୍ଷ୍ମୀ କାନ୍ତ ଷଡ଼ଙ୍ଗୀ, ରଶ୍ମି ପ୍ରିୟା ବଳ, ନିରୋଜ ଖାରା ପ୍ରମୁଖ ଏଥିରେ ସାମିଲ ରହିଥିଲେ।