ପଦ୍ମପୁର,୨୧।୫( ପ୍ରଦୀପ୍ତ ଦାଶ): ବହୁଚର୍ଚ୍ଚିତ ପଦ୍ମପୁର ଭେଉଁରିଆ ଛକରୁ ରାଜବାଟୀ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ ପୁଣି ବୁଧବାର ଆରମ୍ଭ ହୋଇଛି। ଏ ନେଇ ଏନଏସି ତରଫରୁ ଆଗୁଆ ନୋଟିସ ଜାରି କରାଯାଇଥିଲା । ଆଗରୁ ଏହି ରାସ୍ତାରେ ମାପଚୁପ ଆରମ୍ଭ କରାଯାଇଥିଲା। ମାପଚୁପରେ ରାସ୍ତାର ଜବରଦଖଲ ଅଂଶ ଚିହ୍ନଟ କରାଯାଇଥିଲା। ରାଜସ୍ବ ପ୍ରଶାସନର ଉପସ୍ଥିତିରେ ସହକାରୀ ତହସିଲଦାର ତପସ୍ବୀନି କୁଡୁକା, ମାମି ମହାନନ୍ଦ ରାଜସ୍ବ ନିରୀକ୍ଷକ ଭେଙ୍କୁଲାଲ ପଧାନ, ଜତିକୃଷ ଶତପଥୀ ଏନଏସି କର୍ମଚାରୀ ଦୀନବନ୍ଧୁ ପଧାନ ସମେତ ବିଭାଗିୟ କର୍ମଚାରୀମାନେ ପୋଲିସ ପ୍ରଶାସନ ସାମିଲ ଅଛନ୍ତି। ଆଗରୁ ପ୍ରଶାସନିକ ଅଧିକାରୀମାନେ ରାସ୍ତା ଜବରଦଖଲରେ ଆଖି ବୁଜି ଦେଇଥିଲେ। ଫଳରେ ଉକ୍ତ ରାସ୍ତା ସଂକୁଚିତ ହୋଇପଡ଼ିବା ସହିତ ଏଠାରେ ଟ୍ରାଫିକ ସମସ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଥିଲା । ଏହି ଦୃଷ୍ଟିରୁ ଉକ୍ତ ରାସ୍ତାରେ ଜବରଦଖଲ ହଟାଇବା ସହିତ ରାସ୍ତା ପ୍ରଶସ୍ତୀକରଣ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା ।


