ଲିଜ୍‌ଧାରୀଙ୍କ ନାଁରେ ମାମଲା

ବାରିପଦା ଅଫିସ,୧୯ା୮: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ମହୁପୁରା ଘାଟରୁ ବେଆଇନ ବାଲି ଉତ୍ତୋଳନ ଘଟଣାକୁ ନେଇ ଲିଜଧାରୀଙ୍କ ନାଁରେ ବଡ଼ସାହି ଥାନାରେ ମାମଲା ରୁଜୁ ହୋଇଛି। ଏ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ଚାଲିଥିବା ବେଳେ ବାରିପଦା ସଦର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୯୩୯/୧୭ା୮ା୨୦୨୦୨ ଅନୁଯାୟୀ ପୋଲିସକୁ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହକାରୀ ଜିଲାପାଳ ସୋମେଶ ରଣବିଜୁଳିଙ୍କ ଅଭିଯୋଗକୁ ଭିତ୍ତିି କରି ପୋଲିସ ଲିଜ୍‌ଧାରୀ କୃପାସିନ୍ଧୁ ସିଂଙ୍କ ନାମରେ ଏକ ମାମଲା (ନଂ. ୨୩୨/୨୨)ରୁଜୁ କରିଛି।
ସୂଚନା ଅନୁଯାୟୀ, ମହୁପୁରା ବାଲି ସଇରାତରୁ ଅନୁମତିଠାରୁ ୨୦ଗୁଣା ଅଧିକ ବାଲି ମେଶିନ ସାହାଯ୍ୟରେ ଉତ୍ତୋଳନ କରି ପରିବହନ କରାଯାଉଛି ବୋଲି ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ଏନ୍‌ଜିଟି ଇଷ୍ଟର୍ଣ୍ଣ ବେଞ୍ଚ କୋଲକାତା ପକ୍ଷରୁ ୪୦/୨୨ଇଜେଡରେ ଏକ ମାମଲା ରୁଜୁ ହୋଇଥିଲା। ଅନୁମତି ଦିଆଯାଇଥିବା ପରିମାଣଠାରୁ ଢେର ଅଧିକ ବାଲି ପ୍ରତିଦିନ ଚାଲାଣ କରାଯାଉଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହାକୁ ନେଇ ମୟୂରଭଞ୍ଜ ଜିଲାପାଳ, ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ ପ୍ରାଧିକରଣ (ସିଆ), ଜିଲା ଖଣି ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବଡ଼ସାହି ତହସିଲଦାରଙ୍କୁ ନେଇ ଗଠିତ କମିଟି ୨୦୨୨ ମେ ୯ରେ ବାଲିଘାଟ ସ୍ଥିତି ଅନୁଧ୍ୟାନ କରିି ରିପୋର୍ଟ ଦାଖଲ କରିଥିଲେ। ସଇରାତରେ ବ୍ୟାପକ ଅନିୟମିତତା ହୋଇଥିବା ଓ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ମାତ୍ରାଧିକ ବାଲି ଉତ୍ତୋଳନ ଯୋଗୁ ନଦୀର ପ୍ରାକୃତିକ ଜଳ ପ୍ରବାହର ପଥ ପରିବର୍ତ୍ତନ ହୋଇଛି ଓ ଲିଜ୍‌ ଅଞ୍ଚଳ ବାହାରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତଦନ୍ତ କମିଟି ଦାଖଲ କରିଥିବା ରିପୋର୍ଟରେ ୧୨କୋଟି ୩୫ଲକ୍ଷ ୮୪ହଜାର ୮୪୪ଟଙ୍କା ପରିବେଶ କ୍ଷତିପୂରଣ ଓ ପରିବେଶ କ୍ଷତି ବାବଦରେ ୨୧ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ ପାଇଁ ସୁପାରିଶ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ରିପୋର୍ଟକୁ ଭତ୍ତିକରି ତତ୍କାଳୀନ ତହସିଲଦାର ମମତାଜ ମହାରଣା ଓ ଲିଜ୍‌ଧାରୀ ପ୍ରଦୀପ ବିନ୍ଧାଣୀଙ୍କ ନାମରେ ପୃଥକ ମାମଲା (ନଂ.୧୧୪/୨୨ ଓ ୧୧୫/୨୨)ରୁଜୁ ହୋଇଥିଲା। ମାତ୍ର ମହୁପୁରା ସଇରାତରେ ୧୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ହରିଲୁଟକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଲିଜ୍‌ଧାରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ହେଁ ତକତ୍ାଳୀନ ତହସିଲଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ବହୁ କୋଟି ଟଙ୍କାର ରାଜସ୍ବ ଲୁଟ ପାଇଁ ସହଯୋଗ କରିଥିବା ଅଧିକାରୀଙ୍କୁ ଖସାଇଦେବାକୁ ଉଦ୍ୟମ କରାଯାଉଛି ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।