ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍ ଜୋର୍ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ ତା’ ପଛେ ପଛେ ଧାଇଁଥାଏ। ବାଣୁଆ ଦୌଡ଼ି ଦୌଡ଼ି ଥକି ପଡ଼ି ଶେଷରେ ଏକ ଉପାୟ ଚିନ୍ତା କଲା। ଚାରିଦିଗରେ ଯନ୍ତା ବସାଇଦେଲା। ଗୋଟିଏ ପଟେ ନିଆଁ ଜାଳିଦେଲା, ଦ୍ୱିତୀୟ ପଟେ ଜାଲ ବାନ୍ଧିଦେଲା, ତୃତୀୟ ଦିଗରେ କୁକୁରକୁ ଜଗାଇଦେଲା ଓ ଶେଷରେ ଚତୁର୍ଥ ଦିଗରେ ନିଜେ ରହିଗଲା। ଏହି ସମୟରେ ବିଚାରି ହରିଣ ଛୁଆଟେ କ’ଣ କରିବ କିଛି ବୁଝି ପାରିଲାନି। ଏହି ସଙ୍କଟ ସମୟରେ ସେ କିନ୍ତୁ ହାରିଯାଇ ନ ଥିଲା । ତଥାପି କିଛି ବି ଘଟଣା ତାକୁ ରକ୍ଷା କରିପାରେ ବୋଲି ତା’ର ବିଶ୍ୱାସ ରହିଥିଲା । ହଠାତ ଏକ ଘଟଣା ଘଟିଲା, ଖୁବ୍ ଜୋର୍ରେ ପବନ ଘଡ଼ଘଡ଼ି ସହ ବର୍ଷା ହେଲା, ବର୍ଷlରେ ନିଆଁ ଲିଭିଗଲା, ପବନରେ ଜାଲ ଛିଡ଼ିଗଲା, ଘଡ଼ଘଡ଼ି ଶବ୍ଦ ଶୁଣି କୁକୁର ଦୌଡ଼ି ପଳେଇଗଲା। ଏହି ସମୟରେ ବାଣୁଆକୁ ଜନ୍ଦା ଖୁବ୍ ଜୋର୍ରେ କାମୁଡ଼ିଦେଲା, ଫଳରେ ବାଣୁଆ ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥିଲା। ଏହାର ସୁଯୋଗ ନେଇ ହରିଣଛୁଆ ନିଜ ଜୀବନକୁ ରକ୍ଷା କରି ମହା ସଙ୍କଟରୁ ପାରି ହୋଇଗଲା । ଖୁବ୍ ସୁନ୍ଦର କାହାଣୀଟିଏ ଥିଲା। ହଁ ପାଠକ ବନ୍ଧୁ ଏହି କାହାଣୀ ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଜୀବନ ଯୁଦ୍ଧରେ ବାରମ୍ବାର ହାରିଯିବା ପରେ ମଧ୍ୟ କଦାପି ନିରୁତ୍ସାହିତ ହେବା ଉଚିିତ ନୁହେଁ। କେଉଁ ମୁହୂର୍ତ୍ତରେ ଆମ ପାଇଁ ବାଟ ଖୋଲିଯିବାର ସମ୍ଭାବନା ରହିପାରେ। ବେଳେ ବେଳେ ଆମେ ନିରାଶା ଭିତରେ କିଛି ଭୁଲ୍ ନିଷ୍ପତ୍ତି ନେଇ ନିଜକୁ ମୃତ୍ୟୁମୁହଁକୁ ମଧ୍ୟ ନେଇଯାଉ। କିନ୍ତୁ ଭୁଲିଯାଉ ଯେ ଯେଉଁ ଜୀବନରେ ଯେତେ ପ୍ରତିକୂଳ ପରିସ୍ଥିତି ଆସେ ଜୀବନ ସେତେ ମଜଭୁତ ହୁଏ ଏବଂ ଆମ ଲକ୍ଷ୍ୟ ସେତିକି ସ୍ପଷ୍ଟ ହୁଏ। ଇତିହାସ ପୃଷ୍ଠାରେ ଏମିତି ଅନେକ ପ୍ରେରଣାପୂର୍ବକ କାହାଣୀ ଅଛି, ଯେଉଁଥିରେ ନାୟକମାନେ କଦାପି ଜୀବନ ଯୁଦ୍ଧରେ ପରାଜିତ ହୋଇନାହାନ୍ତି ବରଂ ସବୁଦିନ ପାଇଁ ଅମର ହୋଇଯାଇଛନ୍ତି।
ଆମେ କିନ୍ତୁ ପ୍ରତି ମୁହୂର୍ତ୍ତରେ ଭାଙ୍ଗି ପଡୁଛୁ, ଭିତରେ ସମ୍ଭାବନା କମିଯାଉଛି। ଅନ୍ଧକାର ପରେ ଦିନେ ଯେ ସକାଳ ଆସିବ ସେ କଥା ଆମେ ଭୁଲି ଯାଉଛୁ। ଇଚ୍ଛାଶକ୍ତି ବଳରେ ଗୋଡ଼ ନ ଥାଇ ମଧ୍ୟ ଅରୁଣିମା ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଚଢ଼ିବାକୁ ସକ୍ଷମ ହୋଇଥିଲେ। ସେହିପରି ହାତ ନ ଥାଇ ଜେସିକା ପାଇଲଟ ହୋଇପାରିଥିଲେ। ଏପରି ଅନେକ ପ୍ରେରଣା ପ୍ରଦାନପୂର୍ବକ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ଜୀବନରେ ଅନେକ ଦୁଃଖ ଯନ୍ତ୍ରଣା, ଝଡ଼ଝଞ୍ଜା ଆସିଛି ତଥାପି ସେହି ବିପଦ ସମୟରେ ସେମାନେ ସମ୍ଭାବନାକୁ ଦେଖିପାରିଥିଲେ। ସେମାନେ ସବୁ ଅସମ୍ଭବକୁ ସମ୍ଭବରେ ପରିଣତ କରି ଜୀବନ ଯୁଦ୍ଧରେ ଜୟଲାଭ କରିଥିଲେ। ଡ.ଏପିଜେ ଅବଦୁଲ କଲାମ ଗୋଟିଏ ଗରିବ ପରିବାରରେ ଜନ୍ମଗ୍ରହଣ କରି ମଧ୍ୟ ଜୀବନରେ ଅନେକ ସଙ୍ଘର୍ଷ କରି ଭାରତର ରାଷ୍ଟ୍ରପତି ହୋଇ ପାରିଥିଲେ। ଆମେରିକାର ଅଭିନେତ୍ରୀ ମାର୍ଲି ମାଟଲିନ ପିଲାଦିନୁ ଅସୁସ୍ଥ ଥିଲେ ମଧ୍ୟ ମାତ୍ର ୨୧ବର୍ଷ ବୟସରେ ଓସ୍କାର ପୁରସ୍କାର ଲାଭ କରିଥିଲେ। ଥମାସ ଏଡିସନ୍ ମନ୍ଦ ବୁଦ୍ଧି ହେତୁ ପିଲାଦିନେ ବିଦ୍ୟାଳୟରୁ ବିତାଡିତ ହୋଇଥିଲେ, ଦିନେ ସେ ପୁଣି ବିଦ୍ୟୁତ୍ ବଲ୍ବ ଆବିଷ୍କାର କରି ସାରା ପୃଥିବୀକୁ ଉଜ୍ଜ୍ୱଳ କରିଦେଇଥିଲେ। ଆବ୍ରାହମ ଲିଙ୍କନ୍ ୧୫ ଥର ନର୍ବାଚନରେ ହାରି ଶେଷରେ ୧୬ ଥରରେ ଆମେରିକାର ରାଷ୍ଟ୍ରପତି ହୋଇଥିଲେ। ଧୀରୁଭାଇ ଅମ୍ବାନୀ ପାଠ ପଢ଼ିବାର ସୁଯୋଗ ନ ପାଇ ଦିନେ ନିଜର ଆପ୍ରାଣ ଉଦ୍ୟମରେ ରିଲିଆନ୍ସ କମ୍ପାନୀର ନିର୍ମାତା ହୋଇ ପାରିଥିଲେ। ପ୍ରଖ୍ୟାତ ନୃତ୍ୟାଙ୍ଗନା ସୁଧା ଚନ୍ଦ୍ରନ ଦୁର୍ଘଟଣାରେ ନିଜର ଦୁଇଟି ଗୋଡ଼ ହରାଇ ମଧ୍ୟ ନାଚିବା ଛାଡି ନ ଥିଲେ। ସୁର୍ ସାମ୍ରାଙ୍ଗୀ ଲତା ମଙ୍ଗେସକର ପିଲାଦିନୁ ପରିବାରର ବୋଝ ସହି ମଧ୍ୟ ହାରି ନ ଥିଲେ, ନିଜ ସାଧନା ବଳରେ ବିଖ୍ୟାତ ହୋଇ ପାରିଥିଲେ l ଏ ସବୁ ଦୃଷ୍ଟାନ୍ତ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ି ପ୍ରତି ମୁହୂର୍ତ୍ତରେ ଯୁକ୍ତି ବାଢୁଛି ତା’ ପାଖରେ ସାମର୍ଥ୍ୟ ନାହିଁ, ସୁବିଧା ନାହିଁ, ସୁଯୋଗ ନାହିଁ, ଅନୁକୂଳ ପରିବେଶ ନାହିଁ।
ନିଜର ଅସହାୟ ପରିସ୍ଥିତିକୁ ବାହାନା କରି ଜୀବନ ଯୁଦ୍ଧରେ ପରାଜୟ ସ୍ବୀକାର କରୁଛି। କିନ୍ତୁ ଯଦି ଥରେ ସେ ଚିନ୍ତା କରନ୍ତା ଯେ ଏ ସବୁ ପରିସ୍ଥିତି ଆମକୁ ସଫଳତା ପଥରେ ଅଗ୍ରସର କରାଇବା ପାଇଁ ଆସିଛି, ତେବେ ସେ କଦାପି ଭାଙ୍ଗି ପଡ଼ିବ ନାହିଁ। ଏଇଠି ମନେପଡେ ଗ୍ରୀକ୍ ଦାର୍ଶନିକ ସକ୍ରେଟିସଙ୍କ କଥା, ଯିଏ କହୁଥିଲେ To find yourself, think for yourself ଅର୍ଥାତ ନିଜକୁ ଆବିଷ୍କାର କର, ନିଜ ପାଇଁ ଚିନ୍ତା କର। ଶେଷରେ ଏତିକି କୁହାଯାଇପାରେ ଯେ ଜୀବନରେ କିଛି ବି ଅସମ୍ଭବ ନୁହେଁ। ପ୍ରତି ମୁହୂର୍ତ୍ତରେ କିଛିବି ଘଟିଯାଇପାରେ। ପ୍ରତି ମୁହୂର୍ତ୍ତରେ ସମ୍ଭାବନାକୁ ଦୃଷ୍ଟିରେ ରଖି ଜୀବନକୁ ସକାରାତ୍ମକ ଭଙ୍ଗୀରେ ଆଦରିନେଲେ ଆମେ ଗୋଟିଏ ସୁସ୍ଥ ସୁନ୍ଦର ଉପାଦେୟ ସଫଳତାପୂର୍ଣ୍ଣ ଜୀବନଟିଏ ବଞ୍ଚିପାରିବା। ଏଥିରେ ସନ୍ଦେହ ନାହିଁ।
ଦେଉଳସାହି, ତୁଳସୀପୁର, କଟକ
ମୋ: ୭୮୪୬୯୨୧୪୦୦