ଘରୋଇ ସ୍କୁଲ ସୂଚନା ଅଧିକାର ଆଇନ ପରିସରଭୁକ୍ତ

ଭୁବନେଶ୍ୱର, ୨୧।୩(ବ୍ୟୁରୋ): ଏଣିକି ଘରୋଇ ସ୍କୁଲ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ। ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ଆବେଦନର ୩୦ ଦିନ ମଧ୍ୟରେ ତଥ୍ୟ ଦେବା ବାଧ୍ୟତାମୂଳକ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଆଧାର କରି ଓଡ଼ିଶା ସୂଚନା ଆୟୋଗ ଏହା ସ୍ପଷ୍ଟ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକୁ ସୂଚନା ଆଇନର ପରିସରଭୁକ୍ତ କରିବା ପାଇଁ ଅଭିଭାବକ ସଂଘ (ଓପାଫ୍‌) ବାରମ୍ବାର ଦାବି କରିଆସୁଥିଲା। ସଂଘ ସଭାପତି ଗଗନ ବିହାରୀ ରାଉତଙ୍କ ଏକ ଆବେଦନର ଶୁଣାଣି କରି ସୂଚନା ଅଧିକାର ଆୟୋଗ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଦୋହରାଇଛନ୍ତି। ଆୟୋଗ କହିଛନ୍ତି, କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ସରକାରଙ୍କଠାରୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ ଆର୍ଥିକ ସହାୟତା ପାଇଥିଲେ, ସେଗୁଡ଼ିକ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ। ସର୍ବାଧିକ ସହାୟତା ପାଇ ନ ଥିବା ଯୁକ୍ତିକୁ କୌଣସି ମାପଦଣ୍ଡ ଭାବେ ନିଆଯାଇପାରିବ ନାହିଁ। ଏପରିକି କରମୁକ୍ତ ବା ରିହାତି ମୂଲ୍ୟରେ ସରକାରୀ ଜମି ପାଇଥିବା ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ଆର୍ଥିକ ସହାୟତା ପାଇଛନ୍ତି ବୋଲି ଧରାଯିବ।
ସୂଚନାଯୋଗ୍ୟ, ଗଗନ ରାଉତ ଭୁବନେଶ୍ୱରସ୍ଥିତ ୟୁନିଟ୍‌-୮ ଡିଏଭି ସ୍କୁଲର କିଛି ତଥ୍ୟ ସୂଚନା ଅଧିକାର ମାଧ୍ୟମରେ ଭୁବନେଶ୍ୱର ଜିଲା ଶିକ୍ଷାଧିକାରୀ ଓ ଶିକ୍ଷା ନିର୍ଦ୍ଦେଶାଳୟଙ୍କୁ ମାଗିଥିଲେ। ହେଲେ ସ୍କୁଲ ସୂଚନା ଅଧିକାର ଆଇନ ପରିସରଭୁକ୍ତ ନୁହେଁ କହି ତଥ୍ୟ ଦିଆଯାଇ ନ ଥିଲା। ତେଣୁ ଏ ନେଇ ସେ ସୂଚନା ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ରବିବାର ସଂଘ ପକ୍ଷରୁ ଶ୍ରମିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଗଗନ କହିଛନ୍ତି, ଗୋଟିଏ ପଟେ ଶିକ୍ଷା ବିଭାଗ ଓ ଶିକ୍ଷା ମନ୍ତ୍ରୀ କହୁଛନ୍ତି ଘରୋଇ ସ୍କୁଲଗୁଡ଼ିକରେ ପିଲାଙ୍କ ନାମଲେଖା ପୂର୍ବରୁ ଅଭିଭାବକମାନେ ବିଦ୍ୟାଳୟର ଏନ୍‌ଓସି/ସିଓଆର୍‌/ଆଫିଲିଏଶନ/ସେଫ୍ଟି ସିକ୍ୟୁରିଟି ଆଦିର ସତ୍ୟାସତ୍ୟକୁ ତନଖି କରନ୍ତୁ। କିନ୍ତୁ ଘରୋଇ ସ୍କୁଲଗୁଡ଼ିକ କିଛି ତଥ୍ୟ ଦେବା ପାଇଁ ରୋକ୍‌ଠୋକ୍‌ ମନା କରିଦେଉଛନ୍ତି। ତେବେ ଆୟୋଗଙ୍କ ଏହି ରାୟକୁ ଅଭିଭାବକ ସଂଘ ସ୍ବାଗତ କରୁଛି ବୋଲି ଗଗନ କହିଛନ୍ତି। ଏହି ସମ୍ମିଳନୀରେ ସଂଘ ସାଧାରଣ ସମ୍ପାଦିକା ମିତାରାଣୀ ସାହୁଙ୍କ ସମେତ ସତ୍ୟାଶିଷ ସ୍ବାଇଁ, ବୈକୁଣ୍ଠ ପ୍ରସାଦ ଦାସ ଓ ଅଭିଭାବକ ଉପସ୍ଥିତ ଥିଲେ।