ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ ବିଭାଗୀୟସ୍ତରରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି।
ସୂଚନା ଅନୁଯାୟୀ, ଗତ ୭ତାରିଖ ସକାଳ ପ୍ରାୟ ୮ଟା ସମୟରେ ଉପକାରାଗାରରେ ସଫେଇ କାର୍ଯ୍ୟ ଚାଲିଥିବାବେଳେ ବିଶ୍ୱବିହାରୀ ମାଝୀ (୩୦) ନାମକ କଏଦୀ ସୁଯୋଗ ଦେଖି ଫେରାର ହୋଇଯାଇଥିଲେ। ଘଟଣା ପରେ ପୋଲିସ ପକ୍ଷରୁ ତାଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗାଁର ବିଶ୍ୱବିହାରୀ ୨୦୨୧ରେ ରୁଜୁ ହୋଇଥିବା ଏକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ନୂଆପଡ଼ା ଅଦାଲତ ୨୦୨୩ରେ ତାଙ୍କୁ ୨୦ ବର୍ଷର କଠୋର କାରାଦଣ୍ଡାଦେଶ ଦେଇଥିଲେ।
ଏଭଳି ଦୀର୍ଘମିଆଦୀ ସଜାପ୍ରାପ୍ତ କଏଦୀ ଉପକାରାଗାରରୁ ଫେରାର ହେବା ଘଟଣା ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏହି ଘଟଣାରେ ଜେଲର୍ ମାଝୀଙ୍କ ନିଲମ୍ବନ ପରେ ଉପକାରାଗାରର ସୁରକ୍ଷା ବ୍ୟବସ୍ଥା ଓ କର୍ମଚାରୀଙ୍କ ଦାୟିତ୍ୱ ନେଇ ଅଧିକ ତଦନ୍ତ ହେବା ଆଶା କରାଯାଉଛି। ଜେଲ ପରିସରରୁ କଏଦୀ କିପରି ସୁରକ୍ଷା ବଳୟ ଭେଦକରି ଫେରାର ହେଲେ ସେ ନେଇ ମଧ୍ୟ ବିଭାଗୀୟସ୍ତରରେ ଯାଞ୍ଚ କରାଯାଉଛି। ଘଟଣାରେ ଅନ୍ୟ କାହାର ଅବହେଳା ରହିଛି କି ନାହିଁ ତଦନ୍ତ ପରେ ସ୍ପଷ୍ଟ ହେବ। ଫେରାର କଏଦୀଙ୍କୁ ଧରିବା ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଇତିମଧ୍ୟରେ ୬ଦିନ ବିତିଥିଲେ ମଧ୍ୟ ପୋଲିସ କଏଦୀଙ୍କ ଟେର୍ ପାଇନାହିଁ।

