ଶ୍ରୀନଗର, ୧୪ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜମ୍ମୁ-କଶ୍ମୀରର ସୋନମର୍ଗସ୍ଥିତ ଜେଡ୍ ମୋଡ଼ ଟନେଲ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଜମ୍ମୁ-କଶ୍ମୀର ସମେତ ପୂରା ଭାରତ ପାଇଁ ଏହି ଟନେଲକୁ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଟନେଲର ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟନେଲ ମଧ୍ୟ କଶ୍ମୀରର ଗାନ୍ଦରବଲ ଜିଲାର ଗଗନଗୀର ଓ ସୋନମର୍ଗ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ସମୁଦ୍ର ପତ୍ତନଠାରୁ ଏହି ଟନେଲ ୮୬୫୦ ଫୁଟ ଉଚ୍ଚତାରେ ରହିଛି। ଏହି ଟନେଲ ମଧ୍ୟରେ ଉଭୟ ଦିଗରେ ଯାନବାହନ ଯାତାୟାତ କରିପାରିବ। ୬.୫ କି.ମି. ଲମ୍ବା ଜେଡ୍ ମୋଡ଼ ଟନେଲ ଦେଇ ପର୍ଯ୍ୟଟକମାନେ ଅତି ସହଜରେ ବର୍ଷତମାମ ଜମ୍ମୁ-କଶ୍ମୀରର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଯାଇପାରିବେ। ଫଳରେ ଭୂସ୍ଖଳନ ଏବଂ ହିମ ସ୍ଖଳନ ସମସ୍ୟାରୁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ୱସ୍ତି ମିଳିବ। ୨୭୧୭ କୋଟି ଟଙ୍କା ମୂଲ୍ୟରେ ଏହି ଟନେଲର ନିର୍ମାଣ କରାଯାଇଛି। ଏହି ଅବସରରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଜମ୍ମୁ-କଶ୍ମୀରର ଗତ ବିଧାନସଭା ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନିର୍ବାଚନ ଆୟୋଗଙ୍କୁ ଶ୍ରେୟ ଦେଇଛନ୍ତି। ଖୁବ୍ଶୀଘ୍ର ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରିବେ ବୋଲି ଓମାର ଆଶା ପ୍ରକଟ କରିଛନ୍ତି।

