ଗଞ୍ଜାମ,୬।୧(ବିଦ୍ୟାଧର ସାହୁ ): ଆସନ୍ତା ଜାନୁଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ଝାଡଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ହେବ ନ୍ୟାଶନାଲ ସାଇକେଲିଂ ଚାମ୍ପିୟନସିପ । ଏହି ଜାତୀୟ ସାଇକେଲିଂ ଚାମ୍ପିୟନସିପରେ ଭାଗ ନେବେ ଓଡ଼ିଆ ପୁଅ ୟସରାଜ ବାଡ଼ତ୍ୟା । ଆସନ୍ତାକାଲି ଅର୍ଥାତ୍ ବୁଧବାର ବିଦ୍ୟାଳୟରୁ କଳିଙ୍ଗ ଷ୍ଟାଡିଅମରେ କୋଚିଂ କ୍ୟାମ୍ପରେ ଯୋଗ ଦେବା ପାଇଁ ଯାତ୍ରା କରିବେ ୟସରାଜ । ପରେ ନ୍ୟାଶନାଲ ଚାମ୍ପିୟନସିପ ପାଇଁ ରାଞ୍ଚି ଅଭିମୁଖେ ଯାତ୍ରା କରିବେ ବୋଲି କହିଛନ୍ତି ଭାରତୀ ବିଦ୍ୟାପୀଠ ହାଇସ୍କୁଲ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ। ୟସରାଜ ଉକ୍ତ ଭାରତୀ ବିଦ୍ୟାପୀଠ ହାଇସ୍କୁଲରେ ନବମ ଶ୍ରେଣୀରେ ପଡୁଛନ୍ତି । ବ୍ରାହ୍ମଣ ଢମଣା ସାହିର ଯୁଧିଷ୍ଠିର ବାଡ଼ତ୍ୟାଙ୍କ ପୁଅ ୟସରାଜ ପିଲା ଦିନରୁ ସାଇକେଲିଂ ପ୍ରତି ମନ ବଳାଇଥିଲେ। ତେଣୁ ସବୁ କ୍ଷେତ୍ରରେ ବାପା ଯୁଧିଷ୍ଠିର ଓ ମା’ ସବିତା ୟସରାଜଙ୍କୁ ସହଯୋଗ କରି ଆସୁଥିଲେ। ଗତ ନଭେମ୍ବର ୩ ଓ ୪ରେ ସୁନ୍ଦରଗଡ଼ ରାଜ୍ୟ ସାଇକେଲିଂ ପ୍ରତିଯୋଗିତାରେ ନ୍ୟାଶନାଲ ଖେଳିବାକୁ ମନୋନୀତ ହୋଇଥିଲେ ୟସରାଜ । ଯାହା ଗଞ୍ଜାମ ଜିଲା ପାଇଁ ଗର୍ବ ଓ ଗୌରବ । ଯେକୌଣସି ଜାତୀୟ ଖେଳରେ ଭାଗ ନେବା ଗୌରବର ବିଷୟ ବୋଲି ଭାରତୀ ବିଦ୍ୟାପୀଠ ହାଇସ୍କୁଲର ବରିଷ୍ଠ କିରାଣୀ ହରିହର ବାରକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


