ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା ଚାନ୍ଦିପୁଟ ଏବଂ ଗଞ୍ଜାମ ଜିଲା କେ. ଖରିଡ଼ା ଗ୍ରାମର ପୌରାଣିକ ରାମାୟଣ ଥିଏଟର ମଞ୍ଚସ୍ଥ ପାଇଁ ଷ୍ଟେଜ୍ ଉପରେ ସଜବାଜ ଚାଲିଥିବା ବେଳେ ଘଟିଛି ଅଘଟଣ। ଶନିବାର ମଧ୍ୟାହ୍ନରେ ନାଟକ ମଞ୍ଚରେ ବିଦ୍ୟୁତ୍ ସରଞ୍ଜାମ ଲଗାଯାଇଥିଲା। ଗାଁରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଥିଲା। ମଞ୍ଚ ନିକଟରେ ଥିବା ଉଚ୍ଚଶକ୍ତି ସମ୍ପନ୍ନ ୧୧ କେ.ଭି ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ଲାଇନ ନେବା ପାଇଁ ତାର ସଂଯୋଗ କରାଯାଉଥିବା ବେଳେ କରେଣ୍ଟ ଚାଲିଆସିଥିଲା। ଅସାବଧାନତା କାରଣରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଣେ ଯୁବକ ଗୁରୁତର ହୋଇଥିଲେ। ତାଙ୍କୁ ଅଚେତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ସିନ୍ଦୁରପୁର ଗ୍ରାମର ଗଣେଶ ବିଷୋୟୀ(୨୬)। ପରିବାର ଓ ସମ୍ପର୍କୀୟ ଲୋକଙ୍କ କାନ୍ଦବୋବାଳିରେ ସ୍ବାସ୍ଥ୍ୟକେନ୍ଦ୍ର ପରିସର ଫାଟି ପଡ଼ିଥିଲା।
ଖବରପାଇ ଦିଗପହଣ୍ଡି ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ଗଣେଶ ମା’-ବାପାଙ୍କର ଏକମାତ୍ର ପୁଅ ଥିଲେ। ତାଙ୍କର ୩ ବର୍ଷ ବୟସର ପୁଅଟିଏ ଅଛି। ଗତ ୨୦୨୪ରେ ଗଣେଶଙ୍କ ମା’ କୁନି ବିଷୋୟୀଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। ମୃତ୍ୟୁର ମାତ୍ର ୨୧ ଦିନ ପରେ ବାପା ରାମହରି ବିଷୋୟୀଙ୍କ ଦେହାନ୍ତ ଘଟିଥିଲା। ଦିଗପହଣ୍ଡି ଥାନା ଛଣମେରି ଗ୍ରାମର ଜଣେ ବ୍ୟକ୍ତିଙ୍କ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଦୋକାନରେ ଗଣେଶ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଗ୍ରାମର ଦଳିତ ସାହିରେ ମା’ ଦୁଆରଶୁଣି ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ପାଇଁ ରାମାୟଣ ଥିଏଟର ମଞ୍ଚସ୍ଥ ବେଳେ ବର୍ଷା ହେବାରୁ ନାଟକ ବନ୍ଦ ଥିଲା। କିଛି ନାବାଳକ ମଞ୍ଚ ତଳେ ଖେଳୁଥିବା ବେଳେ ୪ ଜଣ ବିଦ୍ୟୁତତାର ସଂସ୍ପର୍ଶରେ ଗୁରୁତର ହୋଇଥିଲେ।

