ଶେଷ ପର୍ଯ୍ୟାୟରେ ମା’ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି: ଉତ୍ସବମୁଖର ପୁଇଁତୋଳା

ଗଞ୍ଜାମ, ୨୪।୧୦(ବିଦ୍ୟାଧର ସାହୁ): ଆସନ୍ତା ୨୫ରୁ ପୁଇଁତୋଳାରେ ମହାଆଡ଼ମ୍ବରରେ ପାଳିତ ହେବ ମା’ ଗଜଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଗାଁରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବରୁ ଶୁଭଖୁଣ୍ଟ ସ୍ଥାପନ କରାଯାଇଥିବାବେଳେ ପୂଜାକୁ ନେଇ ସମଗ୍ର ଗ୍ରାମରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି।

ପୂଜାର ପ୍ରାରମ୍ଭିକ ବିଧି ଅନୁଯାୟୀ, ୨୫ ତାରିଖ ସନ୍ଧ୍ୟାରେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ବଡ଼ବନ୍ଧ ପୁଷ୍କରିଣୀରୁ ଏକ ବିରାଟ ଶୋଭାଯାତ୍ରାରେ ପାଣି ଅଣାଯିବ। ଏହାପରେ ହୋମଯଜ୍ଞ ଆଦି ପୂଜାବିଧି ସମ୍ପନ୍ନ କରାଯାଇ ମା’ ଗଜଲକ୍ଷ୍ମୀଙ୍କୁ ଅସ୍ଥାୟୀ ପୀଠରେ ବିରାଜମାନ କରାଯିବ। ଏହି ପୂଜା ଦୀର୍ଘ ୯ ଦିନ ଧରି ଚାଲିବ।

ଦୀର୍ଘ ପାଞ୍ଚ ବର୍ଷ ଧରି ହରିହର ବିଶ୍ୱାଳଙ୍କ ନେତୃତ୍ୱରେ ସାହିର ଯୁବଗୋଷ୍ଠୀ ଏହି ପୂଜାର ଆୟୋଜନ କରିଆସୁଛନ୍ତି। ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ କରିବା ପାଇଁ ସମଗ୍ର ଗ୍ରାମରେ ବିଭିନ୍ନ ଆକର୍ଷଣୀୟ ତୋରଣ ସହ ଅତ୍ୟାଧୁନିକ ଆଲୋକସଜ୍ଜା କରାଯାଇଛି। ପ୍ରତ୍ୟେକ ସନ୍ଧ୍ୟାରେ ମା’ଙ୍କ ମହାଆଳତି ସହ ବିଭିନ୍ନ ପାରମ୍ପରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଆୟୋଜକଙ୍କ ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୩ ତାରିଖରେ ପୂଜାର ପୂର୍ଣ୍ଣାହୁତି ଏବଂ ନଭେମ୍ବର ୪ ତାରିଖରେ ମା’ଙ୍କ ବିସର୍ଜନ କାର୍ଯ୍ୟ ସମ୍ପନ୍ନ ହେବ। ମା’ ଗଜଲକ୍ଷ୍ମୀଙ୍କ ଆଗମନକୁ ନେଇ ପୁଇଁତୋଳା ଗ୍ରାମରେ ଏବେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି।

 

Dharitri – Odisha’s No.1 Odia Daily

 

Share