ତାରାତାରିଣୀଙ୍କ ଚୈତ୍ର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୦।୩(ଡି.ଏନ୍‌.ଏ.): ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା। ଏହାକୁ ମାତ୍ର ଆଉ ଚାରିଦିନ ବାକି ରହିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଏବେ ପ୍ରସ୍ତୁତି ଜୋରଦାର ଚାଲିବା ସହ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ସହ ଶେଷ ହେବ ସେନେଇ ଜିଲା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାକୁ ନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେବାୟତମାନଙ୍କୁ ନେଇ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ କିଭଳି ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ଶେଷ ହେବ ତାହାକୁ ଗୁରୁତ୍ୱ ଦିଆଯିବା ସହ ଶ୍ରଦ୍ଧାଳୁମାନେ ସୁରୁଖୁରୁରେ ମା’ଙ୍କ ଦର୍ଶନ କରିପାରିବେ ଏବଂ ନିଜର ଶିଶୁଙ୍କ ମୁଣ୍ଡନ କରାଇପାରିବେ ସେନେଇ ଆଲେଚନା କରାଯାଇଥିଲା। ବିଶେଷ କରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଖରାକୁ ଦୃଷ୍ଟିରେ ରଖି ଟେଣ୍ଟର ବ୍ୟବସ୍ଥା କରିବା, ପାନୀୟ ଜଳର ବ୍ୟବସ୍ଥା, ବସ୍‌, ରୋପୱେ ସହ ପାହାଚରେ ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ଭାବେ ଯାତାୟତ କରିବେ ସେନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଅନ୍ୟପଟେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଯେପରି କୌଣସି ପ୍ରକାରର ଚୋରି ଓ ଲୁଟ୍‌ପାଟ ନ ହୁଏ ସେନେଇ ମଧ୍ୟ ପୋଲିସ ସ୍ବତନ୍ତ୍ର ନଜର ରଖିବ ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମିନା କହିଛନ୍ତି। ଏଥିସହ ପାହାଡ ଉପର ମନ୍ଦିର ପରିସର ଓ ପାହାଡ ତଳେ ହେବାକୁ ଥିବା ମୁଣ୍ଡନ ଶାଳା, ଅସ୍ଥାୟୀ ବସ୍‌ଷ୍ଟାଣ୍ଡ, ପାର୍କିଂସ୍ଥଳକୁ ଯାଇ ଜିଲାପାଳ, ଏସ୍‌ପିଙ୍କ ସମେତ ଅଧିକାରୀମାନେ ବୁଲି ଦେଖି ତଦାରଖ କରିଛନ୍ତି। ଏହି ବୈଠକରେ ଜିଲାପାଳ, ଏସ୍‌ପିଙ୍କ ସମେତ ଛତ୍ରପୁର ଉପଜିଲାପାଳ ପ୍ରଶନ୍ନ କୁମାର ପାତ୍ର, ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ପୀୟୁଷ ରଞ୍ଜନ ଛୋଟରାୟ, ବିଡିଓ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ସେବାୟତମାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।