ନାକ୍‌ ମାନ୍ୟତା ପାଇଁ ପ୍ରସ୍ତୁତି ଜୋର୍‌ଦାର

ଗଞ୍ଜାମ,୧୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ସହର ଦାମୋଦରପୁରଠାରେ ଗଞ୍ଜାମ ମହାବିଦ୍ୟାଳୟ ଅବସ୍ଥିତ। ବର୍ତ୍ତମାନ ଏହି କଲେଜ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ପରିଲକ୍ଷିତ ହୋଇଛି। ଏହି ମହାବିଦ୍ୟାଳୟ ବହୁ ପୁରାତନ ହୋଇଥଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ନାକ ମାନ୍ୟତା ମିଳି ପାରିନାହିଁ। କଲେଜ ଅଧ୍ୟକ୍ଷ ଡକ୍ଟର ପ୍ରବୀଣ କୁମାର ନନ୍ଦ, ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଅମର ବିଶୋଇଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପିକା, ଅଧ୍ୟାପକ ନାକ ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି। ନାକ ମାନ୍ୟତା ପାଇଁ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା। କଲେଜର ୬ ଏକର ଜାଗା ମଧ୍ୟରୁ ଏକ ଏକର ଜାଗା ରେଲୱେର। ବଳକା ୫ ଏକରରୁ ୨ ଏକର ଜମି ଶ୍ମ୍ମଶାନ ଜାଗା। ଉକ୍ତ ଦୁଇ ଏକର ଜମି କଲେଜ ନାମରେ ପଟ୍ଟା ପାଇଁ ଆରଡିସିକୁ ଲିଖିତ ଭାବେ ଅବଗତ କରାଯାଇଥିବା କଲେଜ ଅଧ୍ୟକ୍ଷ ନନ୍ଦ କହିଛନ୍ତି। ଖୁବଶୀଘ୍ର ପଟ୍ଟା ହେବା ପାଇଁ ଆରଡିସି ପକ୍ଷରୁ ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି। ମାତ୍ର ୩ ଏକର ଜାଗା କଲେଜ ନାମରେ ରେଜିଷ୍ଟ୍ରେଶନ ଥିବା ବେଳେ କେଶ୍‌ ନଂ ୨୧୯୬/୨୦୧୬ କୋର୍ଟରେ ବିଚାରାଧୀନ ରହିଛି। ଏନେଇ ଆର୍‌ଡିସି ଅଫିସ ପକ୍ଷରୁ ଏଡିଶନାଲ କମିଶନ ସେଟଲମେଣ୍ଟକୁ ଅବଗତ କରାଯାଇଛି ବୋଲି କଲେଜ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି କଲେଜରେ ଆବଶ୍ୟକ ଶ୍ରେଣୀଗୃହ ଅଭାବ ଥିବା ବେଳେ ବିଭିନ୍ନ ବିଭାଗରେ ଅଧ୍ୟାପିକା ଅଧ୍ୟାପକ ପଦବୀ ଖାଲି ରହିଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ୪ଟି ଶ୍ରେଣୀଗୃହ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି ଏବଂ ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗର ୧୦ ଲକ୍ଷ ଟଙ୍କାରେ ବାଳିକା କମନ ରୁମ, ବାଳକ କମନ ରୁମ ଓ ଷ୍ଟାଫ କମନ ରୁମ ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ହାତପାଣ୍ଠିରୁ ୧୪ ଲକ୍ଷ ଟଙ୍କାରେ ୧୨୦୦ ବର୍ଗଫୁଟରେ ସ୍ମାର୍ଟ କ୍ଲାସ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଆସନ୍ତା ୫ ରୁ ୬ ମାସ ମଧ୍ୟରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ନାକ୍‌ ମାନ୍ୟତା ପାଇଁ କଲେଜ କର୍ତ୍ତୃପକ୍ଷ ଆଶାବାଦୀ ଥିବା ସୂଚନା ମିଳିଛି।