ଗର୍ଭବତୀ ମହିଳା, ଶିଶୁଙ୍କୁ ମିଳୁଛି ପୋକରା ଛତୁଆ

ବେଗୁନିଆପଡ଼ା,୨୨ା୨(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡୁ ବଣ୍ଟା ହେଉଛି। ହେଲେ ସେହି ପୁଷ୍ଟିକର ଖାଦ୍ୟ ସରକାରୀ ଅଧିକାରୀ ଖାଇବାକୁ ମୁହଁ ଫେରାଇ ଦେବେ। କାରଣ ଛତୁଆରେ ଫିମ୍ପି ଲାଗି ଯାଇଥିବା ବେଳେ ଲଡୁରୁ ଦୁର୍ଗନ୍ଧ ବାହାରୁଛି। ଯାହାକୁ ଦେଖି ସରକାରୀ ଅଧିକାରୀ ମୁହଁ ବୁଲାଇ ଦେଉଛନ୍ତି , ତାକୁ ଛୋଟ ଛୋଟ ଶିଶୁ ଓ ଗର୍ଭବତୀ ଖାଇବେ କିପରି? ଏମିତି ଏବେ ଚର୍ଚ୍ଚା ଆଲୋଚନା ବେଗୁନିଆପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚର୍ଚ୍ଚା ଚାଲିଛି। ଏଭଳି ଅବ୍ୟବସ୍ଥାକୁ ନେଇ ବେଗୁନିଆପଡ଼ା ବ୍ଲକ ସମିତି ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବେଗୁନିଆପଡ଼ା ସମିତି ସଭ୍ୟା। ସୋମବାର ବେଗୁନିଆପଡ଼ା ବ୍ଲକର ସମିତି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ବେଳେ ଛତୁଆ ଏକ ମୁଖ୍ୟ ପ୍ରସଙ୍ଗ ପାଲଟି ଥିଲା। ଏଥିରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହୋଇଥିଲା ଏନେଇ ତଦନ୍ତ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଉକ୍ତ ବୈଠକରେ କବିସୂର୍ଯ୍ୟନଗର ବିଧାୟିକାଙ୍କ ସମେତ ବିଡିଓ, ସିଡିପିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ବେଗୁନିଆପଡ଼ା ପଞ୍ଚାୟତର ସମିତି ସଭ୍ୟା ନିମ୍ନମାନର ଛତୁଆ ଓ ଲଡୁ ପିଲା ତଥା ଗର୍ଭବତୀଙ୍କ ଦିଆଯାଉଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ବରୁ ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବେଗୁନିଆପଡ଼ା ବ୍ଲକକୁ ଖଲ୍ଲିକୋଟ ବ୍ଲକର ଏକ ସ୍ବୟଂ ସହାୟକ ଦଳ ଏହି ଛତୁଆ ଯୋଗଣ ଦାୟିତ୍ୱ ଦୀର୍ଘଦିନରୁ ଚଞ୍ଚକତା ପୂର୍ବକ ହାତେଇଥିବା ଜଣାଯାଇଛି। ପ୍ୟାକେଟରେ କୌଣସି ପ୍ୟାକିଂ ତାରିଖ ନ ରହିବା ସହ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ତେବେ ଏନେଇ ତଦନ୍ତ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏହି ଘଟଣାକୁ ନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।