ଉଦାହରଣ ସାଜିଛନ୍ତି ଗର୍ଭବତୀ ଆଶାକର୍ମୀ

ବ୍ରହ୍ମପୁର ଅଫିସ,୨୬ା୫: କରୋନା ଯୁଦ୍ଧରେ ବହୁ ଆଗଧାଡ଼ିର ଯୋଦ୍ଧା ଲଢ଼େଇ କରୁଛନ୍ତି। ତନ୍ମଧ୍ୟରେ ଆଶାକର୍ମୀ ହେଉଛନ୍ତି ଅନ୍ୟତମ। ସେମାନେ କରୋନା ସମୟରେ ଜୀବନକୁ ବାଜି ଲଗାଇ ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏପରିକି ଗଞ୍ଜାମ ଜିଲାରେ କେତେକ ଆଶାକର୍ମୀ ଗର୍ଭବତୀ ଥିବା ସତ୍ତ୍ୱେ ନିଜ ଦାୟିତ୍ୱରୁ ପଛଘୁଞ୍ଚା ଦେଇ ନାହାନ୍ତି। ସେହି ଆଶାକର୍ମୀଙ୍କୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି। ବ୍ରହ୍ମପୁର ଲୋଚାପଡ଼ା ବାପୁଜୀନଗର ଅଞ୍ଚଳର ଆଶାକର୍ମୀ ରାଜେଶ୍ୱରୀ ବେହେରା ଓ କୋଦଳା ଅଙ୍ଗାରଗଁା ଅଞ୍ଚଳର ଆଶାକର୍ମୀ ସୁଚିତ୍ରା ଜେନା, ଛଣମେରୀ ଗ୍ରାମର ଆଶାକର୍ମୀ କବିତା ରାଉତ, ଆଡ଼ପଡ଼ାର ଆଶାକର୍ମୀ ରଶ୍ମିତା ପ୍ରଧାନ ୭ ମାସ ଓ ୫ ମାସର ଗର୍ଭବତୀ। ତଥାପି ମହାମାରୀ କରୋନା ଏବଂ ବାତ୍ୟା ‘ୟାସ୍‌’ ସମୟରେ ଘରକୁ ଘର ବୁଲି ଅନବରତ ସ୍ବାସ୍ଥ୍ୟ ସେବା ପହଞ୍ଚାଉଛନ୍ତି। ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିଙ୍କ ଘରଘର ବୁଲି ସଙ୍ଗରୋଧ ବିଷୟରେ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବା, ପରିବାରର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ, ଅମ୍ଳଜାନସ୍ତର ଯାଞ୍ଚ କରୁଛନ୍ତି। ଶିଶୁ ଓ ଗର୍ଭବତୀମାନଙ୍କୁ ଟିକା ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ କରିବା, ପ୍ରସବ ଯନ୍ତ୍ରଣା ଆସିଲେ ଗର୍ଭବତୀଙ୍କୁ ମେଡିକାଲକୁ ନେବା, ଗୃହ ପରିଦର୍ଶନ କରିବା, ରୋଗୀଙ୍କ ପାଖରେ ଔଷଧ ପହଞ୍ଚତ୍ବା ଭଳି କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ, ବ୍ଲକ ପ୍ରଶାସନ, ବ୍ଲକ ସ୍ବାସ୍ଥ୍ୟ ବିଭାଗ, ଜିଲା ତାଲିମଦାତା ପ୍ରମୁଖ କରୋନା ଯୁଦ୍ଧରେ ଗର୍ଭବତୀ ଆଶାକର୍ମୀଙ୍କ ଅବଦାନକୁ ପ୍ରଶଂସା କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି।