ବାସନ୍ଦ ସତ୍ତ୍ୱେ ଶାହରୁଖ ଖାନ୍‌ଙ୍କ କେକେଆର୍‌ ଦଳରେ କାହିଁକି ଯୋଗ ଦେବେ ପ୍ରବୀଣ ତାମ୍ବେ; ଜାଣନ୍ତୁ…

ନୂଆଦିଲ୍ଲୀ, ୧୩।୯: ବଲିଉଡ୍‌ ସୁପର୍‌ ଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ଦଳୀୟ ଶିବିରରେ ସାମିଲ ହେବେ ଭେଟେରାନ୍‌ ଲେଗ୍‌-ସ୍ପିନର ପ୍ରବୀଣ ତାମ୍ବେ। ୨୦୨୦ ଆଇପିଏଲ୍‌ ଲାଗି କେକେଆର୍‌ ତାମ୍ବେଙ୍କୁ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। କିନ୍ତୁ ଏଥିପୂର୍ବରୁ ୪୮ ବର୍ଷୀୟ ତାମ୍ବେ ବିଦେଶୀ ଲିଗ୍‌ରେ ଅଂଶଗ୍ରହଣ କରିଥିଲେ। ଫଳରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିୟମ ଅନୁଯାୟୀ ସେ ଆଇପିଏଲ୍‌ ସମେତ ବିଭିନ୍ନ ଘରୋଇ ପ୍ରତିଯୋଗିତାରେ ଖେଳିବା ଲାଗି ଅଯୋଗ୍ୟ ହୋଇଥିଲେ। ଏହାସତ୍ତ୍ୱେ ଏହି ମୁମ୍ବାଇ ଲେଗ୍‌-ସ୍ପିନର ଆଇପିଏଲ୍‌ର ଆଗାମୀ ତ୍ରୟୋଦଶ ସଂସ୍କରଣରେ କୋଲକାତା ଡ୍ରେସିଂ ରୁମ୍‌ରେ ନଜରରେ ଆସିବେ। କେକେଆର୍‌ର ସିଇଓ ଭେଙ୍କି ମୟଶୂର ନିଶ୍ଚିତ କରିଛନ୍ତି ଯେ, ଦଳର ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କ ସହ ତାମ୍ବେ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ତାମ୍ବେ କୋଲକାତା ପକ୍ଷରୁ ଖେଳିବାର ସୁଯୋଗ ହରାଇଥିଲେ ମଧ୍ୟ ଦଳୀୟ ସେଟ୍‌ ଅପ୍‌ରେ ସାମିଲ ହେବେ। ସେ ଖେଳାଳିଙ୍କ ପ୍ରସ୍ତୁତିରେ ସହାୟତା କରିବେ ବୋଲି ଭେଙ୍କି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ବିସିସିଆଇ ନିୟମ ଅନୁଯାୟୀ କେବଳ ଅବସରପ୍ରାପ୍ତ ଖେଳାଳିମାନେ ହିଁ ବିଦେଶୀ ଲିଗ୍‌ରେ ଅଂଶଗ୍ରହଣ କରିବାର ଅନୁମତି ପାଇବେ।

Share