Posted inଫୁରସତ

ପ୍ରଶଂସାରେ ଏଠି ସୃଜନ ସମୀକ୍ଷା

ଡ଼ିଶାରେ ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ, ନାଟକ, ଥିଏଟର, ସିନେମା ଆଦି କ୍ଷେତ୍ରରେ ସମୀକ୍ଷାର ଅଭାବ ନାହିଁ। କେଉଁ ମାଧ୍ୟମରେ କିଭଳି ସମୀକ୍ଷା କରାଗଲେ ସୃଜନ କାର୍ଯ୍ୟ ନିର୍ଦ୍ଦିଷ୍ଟ ତାରକା (ଷ୍ଟାର୍‌) ପାଇପାରୁଛି, ତାହା ବୁଝାଇବା ଦରକାର ପଡ଼ୁ ନାହିଁ। ଓଡ଼ିଶାରେ ଠିକ୍‌ ଅର୍ଥରେ ପୁସ୍ତକ ସମୀକ୍ଷା ନାହିଁ କହିଲେ ଚଳେ। ତେଣୁ ତାହାକୁ ବ୍ଲର୍ବ ବା ପୁସ୍ତକ ପରିଚୟ ଆଖ୍ୟା ଦିଆଯିବା ଉଚିତ। କାରଣ ସେଥିରେ କୃତିର ବିଶ୍ଳେଷଣ କରାଯାଇ ନ ଥାଏ। କେବଳ ପାଠିକାପାଠକଙ୍କ ନିକଟରେ ପୁସ୍ତକକୁ ପରିଚିତ କରାଯାଏ। ଏଥିପାଇଁ ଛାପା ଗଣମାଧ୍ୟମରେ ସ୍ଥାନାଭାବ, ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମର ସମୟାଭାବ, ସମୀକ୍ଷକ ତର ପାଉ ନ ଥିବାରୁ ଯାହିତାହି କରି କାର୍ଯ୍ୟ ତୁଲାଇଥାଆନ୍ତି ନା ବାସ୍ତବ ସମୀକ୍ଷାଟିଏ ପାଇଁ ଯେଉଁ ଚିନ୍ତାଶୀଳ ମସ୍ତିଷ୍କ ଲୋଡ଼ା ତାହାର ଅଭାବ ରହିଛି ଆଦି ଅନେକ ପ୍ରଶ୍ନ ମୁଣ୍ଡକୁ ଆସିବା ସ୍ବାଭାବିକ। କିନ୍ତୁ ସେହି ଦୁର୍ବଳ ଦିଗକୁ ସବଳ କରିବା ଲାଗି କେଉଁଭଳି ପଦକ୍ଷେପ ନିଆଯିବା ସମୀଚୀନ, ସେହି ବିଷୟରେ କ୍ୱଚିତ୍‌ କୌଣସି ସେମିନାର (ଓ୍ବେବିନାର)ରେ କେହି ଦେଖିବାକୁ ପାଉଥିବେ। ଏଠାରେ ଏହା ଜୋର୍‌ ଦେଇ କହି ହେଉଛି ଏଇଥିପାଇଁ ଯେ, ପ୍ରାୟ ସବୁ ଲେଖକ ନିଜ କୃତି ବିଷୟରେ ପ୍ରଶଂସା ଶୁଣିବାକୁ ଚାତକ ପରି ଅନାଇ ବସିଥାଆନ୍ତି। ସମାଲୋଚକ/ଆଲୋଚକଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭବରେ ତ୍ରୁଟିସବୁ ଅଣଦେଖା ରହିଯାଉଛି। ସମାଲୋଚନା ବା ଆଲୋଚନା କେବଳ ନକାରାତ୍ମକ ଦିଗକୁ ଅନିଷା କରି ନ ଥାଏ, ତାହା ସକାରାତ୍ମକ ଦିଗକୁ ଉନ୍ମୋଚନ କରେ।
ନିଶ୍ଚିତ ପ୍ରଶଂସାକୁ ଅପେକ୍ଷା କରିଥିବା ଅନେକ ସାହିତି୍ୟକ ନିଜ ପୁସ୍ତକ ସମୀକ୍ଷାରୁ ସବୁ ଭଲ ଶୁଣିବାକୁ କୁତୁକୁତୁ ହୋଇଥାଆନ୍ତି, ଉତ୍ତମ ସର୍ଜନା ପାଇଁ ଦିଆଯାଇଥିବା ପରାମର୍ଶ ସେମାନଙ୍କୁ ପିତା ଲାଗିଥାଏ। ଆଉ କେତେକ ସମୀକ୍ଷକ ଲେଖକଙ୍କ ନାମକୁ ଦେଖି ଅଧିକ ସମୀକ୍ଷାର ଆକାର ବଢ଼ାଇ ଦେଇଥାଆନ୍ତି ଓ ପ୍ରଶଂସାରେ ପୋତି ଦେଇଥାଆନ୍ତି। କେତେକେ ଆଦୌ ସେହି ବହି ନ ପଢ଼ି ସମ୍ପୃକ୍ତ ଲେଖକଙ୍କ ପୁରୁଣା ବହିର ଢାଞ୍ଚା ଆଧାରରେ ନୂଆ ଶିରୋନାମକୁ ଅନୁମାନ ଲଗାଇ ଲେଖି ଦେଇଥାଆନ୍ତି। ଏହାଦ୍ୱାରା ସୃଜନକର୍ତ୍ତାଙ୍କ ଦୁଇଟି କ୍ଷତି ହୁଏ। ଏକରକମର ଲେଖା ହୋଇଥିବ ଭାବି ପାଠକ ସେହି ବହିଟିକୁ ପଢ଼ିବାକୁ ଆଗ୍ରହ ଦେଖାଇ ନ ପାରନ୍ତି। ଦ୍ୱିତୀୟରେ ପୁସ୍ତକଟିର ଉଚିତ ସମୀକ୍ଷା ହୋଇ ନ ଥାଏ।
ଏଠାରେ ଉପନ୍ୟାସ ବା ଗଳ୍ପ କଥା ଦେଖାଯାଉ। ଏଥିରେ ଚରିତ୍ର, ଦ୍ୱନ୍ଦ୍ୱ, ସ୍ଥିତି, ଶବ୍ଦ ସଂଯୋଜନା, ଗାଢ଼ ପ୍ରଭାବ ପକାଇବାର ବିଷୟବସ୍ତୁ ଗୁରୁତ୍ୱ ବହନ କରେ। ସମୀକ୍ଷକ ପୁସ୍ତକ ବା ସୃଷ୍ଟି ସମୀକ୍ଷା ବେଳେ ପ୍ରତ୍ୟେକ ଦିଗକୁ ସମାନ ପ୍ରାଧାନ୍ୟ ଦେବା କଥା। କେଉଁଠାରେ ପରିସ୍ଥିତି ଭିତରେ ଚରିତ୍ରକୁ ଖପାଇ ଦିଆଯାଇଥାଏ, ତାହା ଜଣାପଡ଼ିଯାଏ। ଅନେକ ସମୟରେ ଚରିତ୍ର ନିଜେ ନିଜ ପାଇଁ ବିୟୋଗାନ୍ତକ ପରିଣତି ଆଣିଥାଏ। ସେହି କଥାକୁ ସମୀକ୍ଷକ ଅତି ସନ୍ତର୍ପଣରେ ବା ନିଖୁଣ ଭାବେ ବର୍ଣ୍ଣନା କରିବା ଲାଗି ଗଭୀର ଅନୁଧ୍ୟାନ କରିବାର ଆବଶ୍ୟକତା ଥାଏ। ହେଲେ ଏଭଳି ମାର୍ମିକ ଅନୁଭବ ଓଡ଼ିଆଙ୍କୁ କ୍ୱଚିତ୍‌ ମିଳୁଥିବ।
ସେକ୍ସପିୟରଙ୍କ ଡ୍ରାମାର ପ୍ରମୁଖ ଦିଗ ଦେଖିଲେ-ଚରିତ୍ର ହେଉଛି ଭାଗ୍ୟ (କ୍ୟାରେକ୍ଟର ଇଜ୍‌ ଡେଷ୍ଟିନି)। ସାଧାରଣରେ ମଣିଷ ଜୀବନରେ ଭାଗ୍ୟର ଭୂମିକା ସବୁକିଛି ବୋଲି କୁହାଯାଇଥାଏ। ହେଲେ ସେକ୍ସପିୟର ତାଙ୍କ ନାଟକ ମାଧ୍ୟମରେ ଜଣାଇଦେଲେ ଚରିତ୍ର ତା’ ନିଜର ଭାଗ୍ୟ ସୃଷ୍ଟି କରିଥାଏ, ତାହା ଭଲ କିମ୍ବା ମନ୍ଦ ହୋଇପାରେ। ଶାସ୍ତ୍ରୀୟ ନାଟକ ‘ମ୍ୟାକ୍‌ବେଥ୍‌’ରେ ମ୍ୟାକ୍‌ବେଥ୍‌ ନିଜର ବିୟୋଗାନ୍ତକ ପରିଣତି ନିଜ ଚରିତ୍ର ପାଇଁ ଡାକି ଆଣିଥିଲେ। ଏହା ହେଉଛି ପାଶ୍ଚାତ୍ୟ (ଅକ୍ସିଡେଣ୍ଟାଲ) କଥା। ପ୍ରାଚ୍ୟ (ଓରିଏଣ୍ଟାଲ)ରେ ମଧ୍ୟ ଏହାର ଅନେକ ଉଦାହରଣ ରହିଛି, ଯେମିତି ଦୁର୍ଯ୍ୟୋଧନ, ରାବଣ ଓ କଂସ ଚରିତ୍ର।
ଅନୁରୂପ ଭାବେ ସମୀକ୍ଷକ ତୁଳନାତ୍ମକ ଦିଗଟିକୁ ମଧ୍ୟ ପ୍ରାଧାନ୍ୟ ଦେବା ଜରୁରୀ। ପ୍ରି-ସେକ୍ସପିୟରିଆନ୍‌ ନାଟ୍ୟକାର ମାର୍ଲୋଙ୍କ ସୃଷ୍ଟିରେ ମେଲୋ ଡ୍ରାମା ବା କେବଳ ଦୁଃଖ/ଆବେଗ ପ୍ରାଧାନ୍ୟଲାଭ କରିଥିଲା। କିନ୍ତୁ ସେକ୍ସପିୟରଙ୍କ କୃତି ଦର୍ଶାଇଲା-‘ଲାଇଫ୍‌ ଇଜ୍‌ ଦି ମିଙ୍ଗଲିଂ ୟାର୍ନ ଅଫ୍‌ ଟ୍ରାଜେଡି ଆଣ୍ଡ୍‌ କମେଡି ବା ଜୀବନ ଦୁଃଖ ଓ ସୁଖର ସମାହାର’। ଏହି ଚିନ୍ତାଧାରା ପ୍ରସୂତ ନାଟକ ବ୍ରିଟିଶ ମଞ୍ଚକୁ ଅଧିକ ଆକର୍ଷଣୀୟ କରିଦେଲା। ପୂର୍ବରୁ ମାର୍ଲୋଙ୍କ ନାଟକରେ କେବଳ ଯାତନା ଓ ଆବେଗ ଦର୍ଶକଙ୍କୁ ଭାରାକ୍ରାନ୍ତ କରି ରଖୁଥିଲା।
ପ୍ରଗତିଶୀଳ ସାହିତ୍ୟରେ ବାସ୍ତବ ସମୀକ୍ଷାଟିଏ ଲେଖକଙ୍କୁ ମାର୍ଜିତ ହେବା ପାଇଁ ଖୋରାକ ଯୋଗାଏ। ସମ୍ଭବତଃ ସେହି ଲେଖକମାନେ ପାଠିକାପାଠକଙ୍କୁ ଭେଟିଲେ ସେମାନଙ୍କ ଲେଖାର ଦୁର୍ବଳ ଦିଗଟିକୁ ଜାଣିବା ପାଇଁ ଚେଷ୍ଟା କରିଥାଆନ୍ତି। ଅନ୍ୟାନ୍ୟ ଭାରତୀୟ ଭାଷାରେ କ’ଣ ଘଟୁଛି ଆମ ପକ୍ଷେ ଜାଣିବା ସହଜ ନୁହେଁ। କିନ୍ତୁ ଇଂଲିଶ୍‌ ଭାଷାରେ ପ୍ରକାଶିତ ପୁସ୍ତକକୁ ସମ୍ପୂର୍ଣ୍ଣ ନ ପଢ଼ିଲେ ଜଣେ ସମୀକ୍ଷକ ସମୀକ୍ଷା ଲେଖନ୍ତି ନାହିଁ ବୋଲି ଇଂଲିଶ୍‌ ଖବରକାଗଜ ଓ ପତ୍ରିକାରୁ ଅନେକେ ପଢ଼ି ହୃଦୟଙ୍ଗମ କରିଥିବେ। ଆମର ଏଠାରେ ସୁଦୃଶ୍ୟ ପରିପାଟୀ, ସୂଚୀପତ୍ରରେ ସ୍ଥାନିତ ଗଳ୍ପ, କବିତା ସଂଖ୍ୟା ଗଣନା କରାଯାଇ ବର୍ଣ୍ଣନା କରାଯାଉଥିବା ଦେଖିବାକୁ ମିଳୁଛି। ସବୁଠାରୁ ଘଷରା କଥାଟି ହେଲା-‘ଏହା ନିଶ୍ଚିତ ପାଠକଙ୍କ ଦ୍ୱାରା ଆଦୃତିଲାଭ କରିବ’। ବିଶେଷ ଅନୁସନ୍ଧାନ କରି ନ ଥିବା ଏଭଳି ସମୀକ୍ଷକଙ୍କୁ ଏଠି ପ୍ରଶ୍ନ କରିବାକୁ କେହି କେବେ ସାହସ କରେ ନାହିଁ। ସେଥିପାଇଁ ଗୁଣାତ୍ମକ ସୃଜନ ସଂଖ୍ୟାତ୍ମକ ରଚନା ପାଖରେ ସତେଯେମିତି ବନ୍ଧା ପଡ଼ିଯାଏ।
ଭଲ କଳାକାର ବା ଚିତ୍ରକର କଦାପି ନିଜ ସୃଷ୍ଟିରେ ଅଳ୍ପକେ ସନ୍ତୁଷ୍ଟ ହୋଇ ନ ଥାଏ। ସେଥିପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖେ। ଏଠି କୌଣସି ସ୍ଥାନରେ କଳାକୃତିକୁ ନେଇ ପ୍ରଦର୍ଶନୀ ହେଲେ ପ୍ରଶଂସା ପାଇବାକୁ ଅନେକେ ଲବି କରିବସନ୍ତି। କିନ୍ତୁ ବାସ୍ତବରେ ଯିଏ କଳାର ପୂଜାରୀ, ସେମାନେ କଳାକାରର ମନଦୁଃଖ ହେବ ବୋଲି ଜାଣିଥିବା ସତ୍ତ୍ୱେ ଭୁଲ ଦର୍ଶାଇଥାଆନ୍ତି। ଅବଶ୍ୟ ସେହି ଧରଣର ସଚ୍ଚୋଟ ଗୁରୁ ବା ସମୀକ୍ଷକଙ୍କ ସଂଖ୍ୟା କମ୍‌। ଥରେ ରବୀନ୍ଦ୍ରନାଥ ଠାକୁରଙ୍କ ପୁତୁରା ତଥା ପ୍ରଖ୍ୟାତ ଚିତ୍ରକର ଅବନୀନ୍ଦ୍ରନାଥ ଠାକୁର ତାଙ୍କ ଛାତ୍ରମାନଙ୍କ ଚିତ୍ରର ସମୀକ୍ଷା କରୁଥିଲେ। ତାଙ୍କ ଦୃଷ୍ଟିରେ ଯିଏ ସବୁଠାରୁ ଉତ୍ତମ ଓ ପ୍ରିୟ ଛାତ୍ର ଥିଲେ, ସେ ତାଙ୍କୁ କହିଥିଲେ-ତୁମ ପେଣ୍ଟିଂ ଭଲ ହୋଇନାହିଁ। ଆହୁରି ନିମଗ୍ନ ହୁଅ। ଏହା ଦେଖି ଅନ୍ୟ ଶିକ୍ଷକ ଓ ଛାତ୍ରମାନେ ତାଜୁବ ହୋଇଯାଇଥିଲେ। ଅବନୀନ୍ଦ୍ରଙ୍କୁ ଏହାର ରହସ୍ୟ ଜାଣିବାକୁ ପଚରାଯିବା ପରେ ସେ କହିଥିଲେ-ମୋର ତା’ଠାରୁ ଆହୁରି ଅଧିକ ଆଶା ଥିଲା। ତାହାହିଁ କଳା ପ୍ରତି ଅନୁରାଗ ଥିବା ଏକ ସମୀକ୍ଷକଙ୍କ ପ୍ରତିବଦ୍ଧତା।
ଯଦି ପ୍ରଦର୍ଶନ ମଞ୍ଚକୁ ଦେଖାଯାଏ, ସିନେମା ବା ଥିଏଟର କଥା ସାମ୍ନାକୁ ଆସୁଛି। ଏବେ ଓଡ଼ିଆ ଭାଷାରେ କପିକରା ଚଳଚ୍ଚିତ୍ର ସଂଖ୍ୟା ଅଧିକ। ଏହାଛଡ଼ା ଯାହା ମୌଳିକ ହେଉଛି ତାହାର ଉଚିତ ସମୀକ୍ଷା କରାଯାଉ ନାହିଁ। ହାତଗଣତି ସିନେ ସମୀକ୍ଷକ ଠିକା ନେବା ଭଳି ଯାହା ବିଳିବିଳେଇ ହେଉଛନ୍ତି, ସେଥିରୁ କଞ୍ଚା ସମୀକ୍ଷକମାନେ ତାହାକୁ ଉତାରିବାରେ ବ୍ୟସ୍ତ। କାମ ସାରିଦେଲେ ଦେହ ଓ ମନଟା ହାଲୁକା ହୋଇଯିବା ଭଳି ଚିନ୍ତାରେ ବୁଡ଼ି ରହିଥିବା ତଥାକଥିତ ସମୀକ୍ଷକମାନେ ନୂଆ କିଛି ଭାବୁ ନ ଥିବାରୁ ଦର୍ଶକ ଭଲ ଫିଲ୍ମଟେ ବିଷୟରେ ଜାଣିବାକୁ ପାଉନାହାନ୍ତି। ଏଭଳି ଶ୍ରେଣୀର ସମୀକ୍ଷକ ଭୁଲ ଦର୍ଶାଇବାକୁ ଚାହୁଁ ନ ଥିବାରୁ ସେ ଏକାଧିକ ଖରାପ ପରମ୍ପରା ପରବର୍ତ୍ତୀ ପିଢ଼ି ପାଇଁ ସୃଷ୍ଟି କରିଚାଲୁଛନ୍ତି।
ସଙ୍ଗୀତ ଓ ନୃତ୍ୟ ପରିବେଷଣ ପରେ ସାଧାରଣତଃ ଶୁଣିବାକୁ ମିଳେ ‘କାର୍ଯ୍ୟକ୍ରମ ମନ୍ତ୍ରମୁଗ୍ଧ କରିଦେଲା’। ‘ଉତ୍କର୍ଷ ପ୍ରଦର୍ଶନ’, ‘ଅଭୂତପୂର୍ବ’, ‘ଜଲ୍‌ଓ୍ବା’, ‘ମାଇଣ୍ଡ ବ୍ଲୋଇଂ’ ପରି ଅନେକ ଶବ୍ଦ ବ୍ୟବହାର କରାଯାଇଥାଏ। ଜଣେ ସମୀକ୍ଷକଙ୍କ ସହ ଏହି ଲେଖକର କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ମିଳିଥିଲା। ସେ ମଧ୍ୟ କାର୍ଯ୍ୟକ୍ରମରେ ସନ୍ତୁଷ୍ଟ ନ ଥିଲେ। ପରବର୍ତ୍ତୀ ସମୟରେ ଏହାର ସମୀକ୍ଷା ପଢ଼ିଲା ବେଳକୁ ସବୁ ଓଲଟି ଯାଇଥିଲା। ସମୀକ୍ଷକଙ୍କୁ ଏ ସମ୍ପର୍କରେ ରହସ୍ୟ ପଚାରିବାରୁ ସେ ମଞ୍ଚ ଆୟୋଜନକାରୀଙ୍କ ପକ୍ଷ ରଖିଥିଲେ।
ଆଜିର ସମୟରେ ସବୁ ପ୍ରକାର ସୃଜନ କ୍ଷେତ୍ରରେ ଅନେକେ ଅଣପାଣ୍ଡବା ପଶି ଆସିଲେଣି। ଲେଖିବାରେ ସିଦ୍ଧହସ୍ତ ହୋଇ ନ ଥିଲେ ମଧ୍ୟ ପରକଲମରେ ଲେଖି ଆଣି ନଁା ଅର୍ଜନ କରିବାରେ ବ୍ୟଗ୍ର। ଶୁଣିବାକୁ ମିଳୁଛି ଜୀବନର ଆଦ୍ୟ ସମୟରେ ସୃଜନ କଥା ଭାବି ନ ଥିବା ପିଲାଟିଏ ବୟସ୍କ ହୋଇ ଚାକିରି ବା ବୃତ୍ତିରୁ ଅବସର ନେବା ପରେ ତତ୍‌କ୍ଷଣାତ୍‌ ସ୍ରଷ୍ଟା ହେବାକୁ ପସନ୍ଦ କରୁଛନ୍ତି। କିଛି ଅର୍ଥ ଶ୍ରାଦ୍ଧ ହେଉ ପଛେ ଭଡ଼ାଟିଆ ଲେଖକଙ୍କଠାରୁ ଲେଖାଟି ସଂଗ୍ରହ କରିଥିବା ବ୍ୟକ୍ତି ରଚନାଟି ପ୍ରକାଶ ପାଇଯିବା ପରେ ମୂଳ ଲେଖକଙ୍କ ସୃଜନ ଆତ୍ମାକୁ ସେହିଠାରେ ଶୁଦ୍ଧି ହେଇପଡ଼ନ୍ତି। ଅବଶ୍ୟ ଏହି ଧାରା ଅନ୍ୟ ଭାଷାରେ ବି କ୍ରିୟାଶୀଳ ଥିବା ଶୁଣିବାକୁ ମିଳୁଛି। ଆଜିର ଅଭାବ ସମୟରେ ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ପାଇଁ ଏହି ପରମ୍ପରା ଚାଲିଥାଉ ବୋଲି କିଛି ଯୁକ୍ତି ବାଢ଼ିପାରନ୍ତି। ଭଲ କଥା। ମାତ୍ର ସରୋଗେସୀ ମା’ର ପରିଚୟ ସମ୍ପୂର୍ଣ୍ଣ ହଜେଇ ଦିଆଯିବା ଦ୍ୱାରା ଏକ ପ୍ରଚଣ୍ଡ ପ୍ରତିଭାର ଅକାଳ ବିୟୋଗ ହୋଇଯାଇଥାଏ।
ସମୀକ୍ଷା ବଳୟରେ ଏକ କମ୍‌ଜୋର ଦିଗକୁ ଖୁବ୍‌ କମ୍‌ ଲୋକ ଧରିପାରନ୍ତି। ପ୍ରକୃତ ଜ୍ଞାନ ନ ଥାଇ ମଧ୍ୟ ଜଣେ ଜଣାଶୁଣା ସମୀକ୍ଷକ ହୋଇପାରୁଛନ୍ତି। କାରଣ କ୍ରୀଡ଼ା ବିଷୟରେ ଅଭିଜ୍ଞତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସାହିତ୍ୟ, ସିନେମା ଉପରେ ସୁଚିନ୍ତିିତ ମତ ପ୍ରଦାନ କରିବାକୁ ଯେତେବେଳେ କୁହାଯାଉଛି, ସେତେବେଳେ ସେହି ବାସ୍ତବ ସମୀକ୍ଷା ଲୁଚିଯିବା ସ୍ବାଭାବିକ। ସ୍ବୀକାରଯୋଗ୍ୟ, କେତେକ ସ୍ବାଧୀନଚେତା ବ୍ୟକ୍ତି ଅଛନ୍ତି, ଯେଉଁମାନେ ବାସ୍ତବ ସତ୍ୟକୁ ଉନ୍ମୋଚନ କରିବାକୁ ଚାହିଁଥାନ୍ତି। ଅଥଚ ସେମାନଙ୍କୁ ମଞ୍ଚ ମିଳେନାହିଁ କିମ୍ବା ଚାପର ବଶବର୍ତ୍ତୀ ହେବାକୁ ବାଧ୍ୟ ହୋଇଥାଇପାରନ୍ତି। ଅତଏବ, ବିଲେଇ ବେକରେ ଘଣ୍ଟି ବାନ୍ଧିବା ଲାଗି ଜଣେ ମାନସିକ ଓ ଶାରୀରିକ ସ୍ତରରେ ଫିଟ୍‌ ହୋଇ ନ ଥିଲେ ଘାବରେଇଯିବା ଥୟ। ଅଳ୍ପରେ ସନ୍ତୁଷ୍ଟ ଓଡ଼ିଆ ‘ନିନ୍ଦା’ ହେଉ ବା ‘ନିଜ ଅଭାବ’କୁ ତର୍ଜମା କରିପାରିଲେ ଯାଇ ଉପରକୁ ଉଠିବାର ମାର୍ଗ ଫିଟିପାରିବ।

 

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri