Categories: ଖେଳ

ପ୍ରଜ୍ଞାନନ୍ଦ-କାର୍ଲସେନ୍‌ ପ୍ରଥମ ଗେମ୍‌ ଡ୍ର

ବାକୁ (ଆଜରବୈଜାନ),୨୩ା୮ (ପି.ଟି.): ବିଶ୍ୱର ନମ୍ବର ଓ୍ବାନ ମାଗ୍ନସ କାର୍ଲସେନଙ୍କ ବିପକ୍ଷ ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ନାମେଣ୍ଟ ଫାଇନାଲର ପ୍ରଥମ କ୍ଲାସିକାଲ ଗେମ୍‌କୁ ଡ୍ର ରଖିବାରେ ସମର୍ଥ ହୋଇଛନ୍ତି ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ। ୧୮ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର ଧଳା ଦାନରେ ଏହି ଗେମ୍‌ ଖେଳିଥିଲେ। ସେ ତାଙ୍କଠାରୁ ଉଚ୍ଚ ରେଟିଂପ୍ରାପ୍ତ କାର୍ଲସେନଙ୍କ ବିପକ୍ଷ ଗେମ୍‌କୁ ୩୫ଟି ମୁଭରେ ଡ୍ର ରଖିଥିଲେ। ଫଳତଃ ନରଓ୍ବେ ଚେସ୍‌ ଖେଳାଳି ବୁଧବାର ଖେଳାଯିବାକୁଥିବା ଦୁଇ ମ୍ୟାଚ ବିଶିଷ୍ଟ କ୍ଲାସିକାଲ ସିରିଜର ଦ୍ୱିତୀୟ ଗେମ୍‌ ଧଳାଦାନରେ ଖେଳିବେ। ସୋମବାର ବିଶ୍ୱର ୩ ନମ୍ବର ଖେଳାଳି ଫାବିଆନୋ କାରୁଆନାଙ୍କ ବିପକ୍ଷରେ ୩.୫-୨.୫ରେ ଚମକପ୍ରଦ ବିଜୟ ହାସଲ କରି ପ୍ରଜ୍ଞାନନ୍ଦ ଫାଇନାଲରେ ପ୍ରବେଶ କରିଥିଲେ। କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦଙ୍କ ପରେ ବିଶ୍ୱକପ୍‌ ଫାଇନାଲ ଖେଳିବାରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଏହି ସ୍ବଳ୍ପ ବୟସ୍କ ଚେସ୍‌ ପ୍ରତିଭା ଇତିମଧ୍ୟରେ ୨୦୨୪ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

Share