Categories: ଜାତୀୟ

ପାଓ୍ବାର ପ୍ଲାଣ୍ଟ୍‌‌ରେ ବିସ୍ଫୋରଣ: ୪ ମୃତ, ୧୩ ଆହତ

ଚେନ୍ନାଇ, ୧।୭: ତାମିଲନାଡୁର କୁଡ଼ାଲୋର୍‌ ଜିଲାରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟ୍‌ର ବଏଲରରେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ନେଭେଲି ଲିଗ୍‌ନାଇଟ୍‌ କର୍ପୋରେଶନ୍‌ ଲିମିଟେଡ୍‌ର ଏହି ଥର୍ମାଲ ପ୍ଲାଣ୍ଟର ବଏଲରରେ କିଭଳି ବିସ୍ଫୋରଣ ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ମେ ମାସରେ ଏଠାରେ ବଏଲର ବିସ୍ଫୋରଣ ଯୋଗୁ ୮ ଜଣ ଠିକା ଏବଂ ନିୟମିତ ଶ୍ରମିକ ଆହତ ହୋଇଥିଲେ। କମ୍ପାନୀରେ ୧୫ ହଜାର ଠିକା କର୍ମଚାରୀଙ୍କ ସମେତ ମୋଟ ୨୭ ହଜାର କର୍ମଚାରୀ କାମ କରୁଛନ୍ତି। ଏହା ବାର୍ଷିକ ୩,୯୪୦ ମେଗାଓ୍ବାଟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିଥାଏ। ବିସ୍ଫୋରଣ ଘଟିଥିବା ପ୍ଲାଣ୍ଟ୍‌ର ବାର୍ଷିକ ଉତ୍ପାଦନ କ୍ଷମତା ୧,୪୭୦ ମେଗାଓ୍ବାଟ ରହିିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକ ଏବଂ ଆହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ କହିଛି।

Share